ବ୍ରହ୍ମପୁର: ବହୁ ବାଦ-ପ୍ରତିବାଦ ପରେ ଚଳିତ ବର୍ଷ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା । କୋଭିଡ ଗାଇଡଲାଇନ ସହ 7 ଦିନ ହେବ ଯାତ୍ରା । ଏ ନେଇ ଅନୁମତି ଦେଲେ କମିଶନର । ତେବେ ପରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅବଧିକୁ ବୃଦ୍ଧି କରାଯିବ କି ନାହିଁ , ସେ ନେଇ ନିଷ୍ପତ୍ତି ନିଆଯିବ । ଏ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯିବ ।

ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନର କିଛି ସମୟ ପୂର୍ବରୁ ପ୍ରଶାସନର ଆଲୋଚନା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏ ନେଇ ସୋସିଆଲ ମିଡିଆ ଠାରୁ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା । ସେପଟେ ବର୍ଷ ବର୍ଷ ଧରି ଚାଲିଆସିଥିବା ଯାତ୍ରାର ପରମ୍ପରା ବନ୍ଦ ହେଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏହା ପରେ ବିଚାର ବିମର୍ଶ ପରେ ଟ୍ବିଟ କରି କୋଭିଡ୍ କଟକଣା ମଧ୍ୟରେ କିପରି ଯାତ୍ରା କରାଯାଇପାରିବ ସେ ନେଇ ବ୍ରହ୍ମପୁର ନିଗମର କମିଶନର ଜଣାଇଛି । ତେବେ 21 ଦିନ ପରିବର୍ତ୍ତେ ବିଏମସି ପକ୍ଷରୁ ଏଥର ସାତ ଦିନ ପାଇଁ ଯାତ୍ରା ଅନୁମତି ଦିଆଯାଇଛି । ଆବଶ୍ୟକ ପଡିଲେ ଦିନେ ଦୁଇ ଦିନ ବୃଦ୍ଧି କରାଯିବା ସହ କିପରି କଟକଣା ମଧ୍ୟରେ ଯାତ୍ରା ଆୟୋଜିତ ହୋଇପାରିବ ସେ ନେଇ ସ୍ପଷ୍ଟିକରଣ ଦେଇଛି ବିଏମସି ।
ଯାତ୍ରାର ମୁଖ୍ୟ ପରିଚାଳକ ପି.ଦୁର୍ଗା ପ୍ରସାଦ ଦେଶୀ ବେହେରା ଯାତ୍ରାକୁ ଅତିକମରେ ୨୧ ଦିନ କରିବା ପାଇଁ ପାରମ୍ପାରିକ ସିଦ୍ଧାନ୍ତୀଙ୍କ ଠାରୁ ତିଥି ବାହାର କରାଯାଇଥିଲା । ଏପଟେ ପ୍ରଶାସନ ପକ୍ଷରୁ ବର୍ତ୍ତମାନର ସ୍ଥିତିରେ ଏତେ ଦିନ ଅନୁମତି ପ୍ରଦାନ କରିବା ସମ୍ଭବ ନଥିବା କୁହାଯିବା ପରେ ଶେଷ ମୁହର୍ତ୍ତରେ ଯାତ୍ରାକୁ ଚଳିତବର୍ଷ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେ ।
ଶେଷରେ ପ୍ରଶାସନର ସ୍ପଷ୍ଟୀକରଣ ପରେ ଯାତ୍ରା ପରିଚାଳକଙ୍କ ପକ୍ଷରୁ କଟକଣା ମଧ୍ୟରେ ଯେପରି ମାଆଙ୍କ ରୀତିନୀତିରେ ଯାତ୍ରା କରାଯାଇପାରିବ ସେ ନେଇ କଣ ନିଷ୍ପତ୍ତି ନିଆଯାଉଛି ତାହାରି ଉପରେ ରହିଛି ସମସ୍ତଙ୍କ ନଜର ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ