ବ୍ରହ୍ମପୁର: କୋରୋନା ମହାମାରୀକୁ ନେଇ ହୋଇଥିବା ସାରା ଦେଶରେ ଲକ୍ ଡାଉନ୍। ଏହି ସମୟରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ରାଜ୍ୟର ଫୁଲ ଚାଷୀ ଓ ବ୍ୟବସାୟୀ । ମୁଖ୍ୟତଃ ପ୍ରତ୍ୟେକ ବର୍ଷ ନଭେମ୍ୱର ଠାରୁ ମେ ମାସ ପର୍ଯ୍ୟନ୍ତ ପ୍ରାୟତଃ ପାରିବାରିକ ଠାରୁ ଆରମ୍ଭ କରି ଅନେକ ସମାଜିକ ଉତ୍ସବ ଆୟୋଜିତ ହେଉଥିବାରୁ ଏହି ସମୟରେ ଫୁଲ ବ୍ୟବସାୟ ରହିଥାଏ ଚଳଚଞ୍ଚଳ । ହେଲେ କୋରୋନାର ଲକ୍ ଡାଉନ୍ ଭାଙ୍ଗିଦେଇଛି ଅନେକ ଫୁଲ ବ୍ୟବସାୟୀଙ୍କ ମେରୁଦଣ୍ଡ ।
ଏକର ଏକର ଚାଷ ଜମିରେ ଫୁଟି ରହିଛି ସୌନ୍ଦର୍ଯ୍ୟମୟ ଗୋଲାପ ଫୁଲର ସମ୍ଭାର । ଯେଉଁ ଗୋଲାପ ଫୁଲକୁ ଦିନେ ୧୦ ଟଙ୍କାରେ ବିକ୍ରି କରୁଥିଲା ଚାଷୀ ଏବଂ ବ୍ୟବସାୟୀଙ୍କ ଠାରୁ କ୍ରୟ କରିବାକୁ ଗ୍ରାହକଙ୍କ ଭିଡ ଜମୁଥିଲା ତାହାକୁ କିଏ ବାହାରେ ଫୋପାଡି ଦେଉଛି ତ ଆଉ କିଏ ଡଷ୍ଟବିନ୍ ରେ ରଖିଦେଇଛି । କେବଳ ଗୋଲାପ କାହିଁକି ରଜନୀଗନ୍ଧା,ଗେଣ୍ଡୁ , ମଲ୍ଲି ,ଅର୍କଟ , ଜରବେରା ଭଳି ଯେଉଁ ଫୁଲର ରହିଥିଲା ଅନେକ ଚାହିଦା ତାହାକୁ ଆଜି କେହି ନେଉନାହାନ୍ତି । ଲକ୍ ଡାଉନ୍ ପରେ ରାଜ୍ୟ ତଥା ପ୍ରତ୍ୟେକ ପ୍ରମୁଖ ସହରରେ ଫୁଲ ଚାଷୀ ଓ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛି ।
ଗଞ୍ଜାମ ଜିଲ୍ଲାରେ ବହୁ ଚାଷୀ ଫୁଲ ଚାଷ କରୁଥିବା ବେଳେ ପ୍ରାୟ ତିନି ଶହ ଏକର ଜମିରେ ଏଠାରେ ଗୋଲାପ ଠାରୁ ଆରମ୍ଭ କରି ଅନେକ ରତୁକାଳୀନ ଫୁଲ ଚାଷ ହେଉଥିଲା । ଏପରିକି ବହୁ ଚାଷୀ ବ୍ୟାଙ୍କରୁ ରଣ ଆଣି ଛାୟା ଗୃହ ବା ପଲିଗ୍ରିନ ହାଉସ୍ ରେ ଏଭଳି ଫୁଲ ଚାଷ କରି ଆସୁଥିବା ବେଳେ ବର୍ତ୍ତମାନର କ୍ଷତି ସମସ୍ତଙ୍କ ପାଇଁ ଚିନ୍ତାଜନକ ସ୍ଥିତି ଆଣିଦେଇଛି। ରାଜ୍ୟରେ ପ୍ରାୟ ୨୦ କୋଟିରୁ ଉର୍ଦ୍ଧ ଟଙ୍କାର ଫୁଲଚାଷୀଙ୍କ କ୍ଷତି ହୋଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା ଫୁଲ ଚାଷୀ ସଂଙ୍ଘର ସମ୍ପାଦକ ।
ଗୋଟିଏ ପଟେ ନିଜର ଚାଷ ଜମିରେ ଫୁଲ ଫୁଟି ରହିଥିଲେ ମଧ୍ୟ ସବୁଠି ବଜାର ବନ୍ଦ ରହିଥିବାରୁ କୌଣସି ବ୍ୟବସାୟୀଙ୍କୁ ବିକ୍ରୀ କରାଯାଇ ପାରୁନଥିବା ବେଳେ ଗଛକୁ କାଟିବାକୁ ଶ୍ରମିକର ଅଭାବ ରହିଥିବାରୁ ଅନେକ ଚାଷୀ ଏଭଳି କ୍ଷତିରେ ନିଜ ଚାଷ ଜମିରେ ଟ୍ରାକ୍ଟର ବୁଲାଇଦେଉଥିବା ଦେଖାଯାଇଛି ।
ସେପଟେ ଫୁଲ ଚାଷୀ ମାନେ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସରକାର ଏଥିନିମନ୍ତେ କିଛି ବ୍ୟବସ୍ଥା କରିବା ସହ ବ୍ୟାଙ୍କ ରଣ କରିଥିବା ଚାଷୀଙ୍କ ପାଇଁ ରିହାତି କଣ ହୋଇପାରିବ ସେନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଅନ୍ୟପଟେ ସହରବାସୀ ଘରେ ପୂଜା କରିବା ପାଇଁ ମଧ୍ୟ ବଜାରରୁ ଫୁଲଟିଏ ପାଇପାରୁନଥିବା କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ