ବ୍ରହ୍ମପୁର: ସାମାନ୍ୟ କଳହକୁ ନେଇ ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ବଳରାମ ନଗରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ପରେ ଘଟଣାସ୍ଥଳରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ନେଇ ସୂଚନା ମିଳିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଉଷାକୋଠୀ ସାହିର ୪୦ ବର୍ଷୀୟ ସନ୍ତୋଷ କୁମାର ସେଠୀ ।
ସୂଚନାନୁଯାୟା ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ମୃତ ସନ୍ତୋଷ କୌଣସି ଏକ କାର୍ଯ୍ୟରେ ଗ୍ରାମର ଦଣ୍ଡାସି ସାହିକୁ ଯାଇ ଘରକୁ ଫେରିବା ରାସ୍ତାରେ ସେହି ଗାଁର ରାମ ନାୟକଙ୍କୁ ଦେଖି କାହିଁକି ମଦ ପିଉଛ ବାେଲି ପ୍ରଶ୍ନ କରିଥିଲେ । ପରେ ରାମ ଓ ସନ୍ତୋଷ ମଧ୍ୟରେ ଏହାକୁ ନେଇ ବଚସା ଆରମ୍ଭ ହୋଇଥିଲା । ପରେ ନିଶାସକ୍ତ ରାମ ଅତ୍ୟନ୍ତ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସନ୍ତୋଷକୁ ଅତର୍କିତ ଆକ୍ରମଣ କରିଥିଲା । ଯାହା ଫଳରେ ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା ।
ଖବର ପାଇ ଦିଗପହଣ୍ଡି ଥାନାଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ବରେ ପୋଲିସ ଟିମ୍ ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଏକ ମକଦ୍ଦମା ରୁଜୁ କରି ମୃତଦେହ ଜବତ କରିଛି । ଏନେଇ ଦିଗପହଣ୍ଡି ଥାନା କେସ ନଂ ୧୫୯/୨୧ ଅନୁସାରେ ଅଭିଯୁକ୍ତ ରାମଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଶୁକ୍ରବାର ଦିଗପହଣ୍ଡି ପୋଲିସ ମୃତଦେହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇବା ସହ ମଧ୍ୟାହ୍ନରେ ସାଇଣ୍ଟିଫିକ୍ ଟିମ ଗାଁରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ