ବ୍ରହ୍ମପୁର: ପ୍ରେମ, ପ୍ରତିଶୃତି, ଶାରୀରିକ ସମ୍ପର୍କ ଆଉ ତାପରେ ଧୋକା । ପ୍ରେମିକା ଗର୍ଭବତୀ ହେବା ପରେ ବୋହୂ ଭାବେ ଗ୍ରହଣ କରିଲେ ନାହିଁ ପ୍ରେମିକ ଘର ଲୋକ । ପ୍ରେମ-ପ୍ରତାରଣାର ଏଭଳି ସାଙ୍ଘାତିକ ଅଭିଯୋଗ ନେଇ ପ୍ରେମିକା ଜଣକ ଥାନାରେ ଏତଲା ଦେବାପରେ ଗିରଫ ହୋଇଥିଲେ ପ୍ରେମିକ । ବର୍ତ୍ତାମାନ ପ୍ରେମିକ ଜେଲରୁ ବାହାରି ଆସିଥିବା ବେଳେ ଅନ୍ୟ ଏକ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିବା ଜାଣି ୧୮ ମାସର ଶିଶୁକୁ ଧରି ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛି ପ୍ରେମିକା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ଦେଶୀବେହେରା ସାହିରେ ।
ସୂଚନା ଅନୁସାରେ, ୨୦୨୦ ମସିହାରୁ ବ୍ରହ୍ମପୁର ସହରର ଅନ୍ନପୂର୍ଣ୍ଣା ମାର୍କେଟ ଅଞ୍ଚଳରେ ବ୍ୟବସାୟ କରି ଆସୁଥିବା ଯୁବତୀ ଜଣଙ୍କ ବ୍ରହ୍ମପୁର ଦେଶୀବେହେରା ସାହିର ଦୀନେଶଙ୍କ ସହ ପ୍ରଥମେ ପ୍ରେମ ଏବଂ ପରେ ଶାରୀରିକ ସଂପର୍କ ରଖିବା ସହିତ ଗର୍ଭବତୀ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ପ୍ରେମକ କେ.ଦିନେଶ କୁମାରଙ୍କ ପରିବାର ଯୁବତୀ ଜଣଙ୍କୁ ବୋହୂ ଭାବରେ ଗ୍ରହଣ କରିବାକୁ ରାଜି ନହେବାରୁ ଶେଷରେ ଏହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ମହିଳା ଜଣକ । ଯାହା ବର୍ତ୍ତମାନ ଓଡିଶାର ଉଚ୍ଚ ନ୍ୟାୟଳୟରେ ବିଚାରଧିନ ରହିଛି । ସେପଟେ ପ୍ରେମିକ ଜଣଙ୍କ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇ ଜାମିନରେ ଫେରିଥିବା ବେଳେ ଦିନେଶଙ୍କ ବାହାଘର ଠିକ କରିଥିଲେ ପରିବାର ଲୋକେ । ଏହା ଜାଣିବା ପରେ ନିଜ ସନ୍ତାନକୁ ବାପାର ପରିଚୟ ସହିତ ପତ୍ନୀ ଭାବରେ ମାନ୍ୟତା ଦେବାକୁ ଦାବି କରି ୧୮ ମାସର ସନ୍ତାନକୁ ଧରି ଧାରଣାରେ ବସି ରହିଛନ୍ତି ପ୍ରେମିକ । ଯୁବତୀ ଜଣଙ୍କ ଏପରି ଧାରଣା ଦେବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ମୃତୟନ ରହିଛନ୍ତି ।
ଏନେଇ ପ୍ରେମିକା କହିଛନ୍ତି ଯେ, "ମୋତେ ସ୍ତ୍ରୀର ମାନ୍ୟତା ସହ ମୋ ଛୁଆକୁ ବାପାର ପରିଚୟ ଦରକାର। ମୁଁ ଥାଉ ଥାଉ କିପରି ସେ ଆଉ କାହାକୁ ବାହା ହେବେ? ସେ ଯଦି ବାହାହେବେ ଆମେ କିପରି ବଞ୍ଚିବୁ? ଅଧିକାର ନ ମିଳିବା ଯାଏ ଏଠୁ ହଟିବିନି।"
ପ୍ରକାଶଯୋଗ୍ୟ ଯେ, ବ୍ରହ୍ମପୁରରେ ଶାଶୁଘରେ ରହିବା ପାଇଁ ବୋହୂ ତପସ୍ବିନୀ ଲଢେଇ କରି ଧାରଣାରେ ବସିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବର୍ତ୍ତମାନ ଏହି ଘଟଣାକୁ ନେଇ ପୁଣି ଚର୍ଚ୍ଚାରେ ରହିଛି ବ୍ରହ୍ମପୁର ।
ଇଟିଭି ଭାରତ, ବ୍ରହ୍ମପୁର