ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଜାରି ହେଲା ରେଡ୍ ଆଲର୍ଟ । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ବେଳେ ପବନର ବେଗ ଘଣ୍ଟା ପିଛା ପ୍ରାୟ ୯୦ କିମି ରହିପାରେ । ଯାହା ଅତି ବିପଦଜନକ । ଗତ ବର୍ଷାରେ ନଦୀ ଗୁଡିକରେ ପାଣି ଭର୍ତ୍ତି ହୋଇ ରହିଯାଇଥିବା ଯୋଗୁଁ ଏନେଇ ଅଧିକ ସତର୍କ ରହିବାକୁ କୁହାଯାଇଛି । ଏଣୁ ପ୍ରବଳ ବର୍ଷା ହେଲେ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇପାରେ ।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହି ପ୍ରାକ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେହିପରି ଜିଲ୍ଲାର ପାତ୍ରପୁର ଏବଂ ଚିକିଟି ଅଞ୍ଚଳ ସମେତ କନ୍ଧମାଳ ସୀମାନ୍ତ ଅଞ୍ଚଳରେ ଜନସାଧାରଣଙ୍କ ପାଇଁ ଅଧିକ ସତର୍କତା ଜାରି କରାଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ଜରୁରୀ ବୈଠକ କରାଯିବା ସହିତ ସମସ୍ତ ବିଭାଗକୁ ଅଧିକ ସଜାଗ ରହିବାକୁ କୁହାଯାଇଛି । ସେହିପରି ଜିଲ୍ଲାର ଖାଲୁଆ ଅଞ୍ଚଳ ସମେତ ଅନ୍ୟ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ପ୍ରଶାସନ କାମ ଆରମ୍ଭ କରିଦେଇଛି। ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ ନିଜ ସରଞ୍ଜାମ ସହ ପ୍ରସ୍ତୁତ ହେଉଥିବା ବେଳେ ଖୁବଶିଘ୍ର ଏନଡିଆରଏଫ ଟିମ୍ ପହଞ୍ଚିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ