ବ୍ରହ୍ମପୁର: ମୁଁ ମରିଯିବି..ମୁଣ୍ଡରୁ ରକ୍ତ ବାହାରୁଛି.. ମୋ ମମିଙ୍କୁ କହିଦେବ ...ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏଭଳି ଅଡିଓ ଟେପ୍ । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବନଦେବୀ ପାଟଣା ଅଞ୍ଚଳର ଏକ ବିବାହିତ ଯୁବତୀ ଇତିଶ୍ରୀ ସାମନ୍ତରାୟଙ୍କ ସୋମବାର ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା । ଗୋଟିଏପଟେ ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା ବେଳେ ଅନ୍ୟପଟେ ଯୁବତୀଙ୍କର ବାଷ୍ପରୁଦ୍ଧ କଣ୍ଠ ସ୍ବରର ଏହି ଅଡିଓ ଟେପ୍ ଘଟଣାକୁ ଅଧିକ ସନ୍ଦେହ ଘେରକୁ ଆଣିଦେଇଛି । ଅଡିଓଟି ଯୁବତୀ ଜଣଙ୍କ ଶେରଗଡ ଥାନା ଅନ୍ତର୍ଗତ ବଳିୟାରସିଂପୁରରେ ରହୁଥିବା ନିଜର ପରିବାର ବର୍ଗଙ୍କୁ ପଠାଇଛନ୍ତି । ଏହାକୁ ଶୁଣି ପରିବାର ଲେକେ ତାଜୁବ ପାଲଟିଯାଇଛନ୍ତି ।
ମୃତ ଯୁବତୀ ଇତିଶ୍ରୀ ସାମନ୍ତରାୟ ଏବଂ ତାଙ୍କ ସ୍ବାମୀ ସାଗର ସାମନ୍ତରାୟ କବିସୂର୍ଯ୍ୟନଗର ବନଦେବୀପାଟଣା ଅଞ୍ଚଳରେ ରହୁଥିଲେ । ଇତିଶ୍ରୀ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ସ୍ବାମୀ ସାଗର ଫୋନ୍ ଯୋଗେ ପତ୍ନୀଙ୍କ ପରିବାର ବର୍ଗଙ୍କୁ କହିବା ସହ ସ୍ଥାନୀୟ ଆସିକା ଚିକିତ୍ସାଳୟକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ଇତିଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣା ପରେ ଅଡିଓ ଭାଇରାଲ ହେବାରୁ ଏହାକୁ ନେଇ ପୋଲିସ ସ୍ବାମୀ ସାଗରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ