ବ୍ରହ୍ମପୁର: ଅଲ ଓଡ଼ିଶା ପେଣ୍ଟ ଆର୍ଟିଷ୍ଟ ୱାର୍କସ ଆସୋସିଏସନ ଗଞ୍ଜାମ ଜିଲ୍ଲା କମିଟିର ସାଧାରଣ ସଭା ଅନୁଷ୍ଠିତ । ବିଭିନ୍ନ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ରଙ୍ଗତୂଳୀ କଳାକାର । ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ ପାଇଁ ଦିଲ୍ଲୀର ଯନ୍ତର ମନ୍ତର ଠାରେ ୧୬ ଅଗଷ୍ଟରେ ହେବାକୁ ଥିବା ସତ୍ୟାଗ୍ରହରେ ହେବେ ସାମିଲ । ଆସୋସିଏସନ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଗେଟ୍ ବଜାର ନିକଟ ଏନଜିଓ ହଲରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲା ସମ୍ପାଦକ ଚିତ୍ରସେନ ଦଳାଇ ରାଜ୍ୟର ରଙ୍ଗତୁଳୀ କଳାକାରଙ୍କର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ରଙ୍ଗତୁଳୀ କଳାକାର ଉପସ୍ଥିତ ରହିଥିଲେ ।
ସଙ୍ଘର ରାଜ୍ୟ ସମ୍ପାଦକ ତଥା ଦେଶ କି ବାତ ଫାଉଣ୍ଡେସନର ରାଜ୍ୟ ସଂଯୋଜକ ରଞ୍ଜନ ମିଶ୍ର ସଭାରେ ଯୋଗଦେଇ କେନ୍ଦ୍ର ସରକାର ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗକୁ କର୍ପୋରେଟ ହାତରେ ଟେକି ଦେଉଥିବା ଅଭିଯୋଗ କରିଛନ୍ତି । ଦେଶର ଯୁବକ ମାନେ ବେରୋଜଗାର ରହିଥିବା ବେଳେ କୋରୋନାରେ ଲକ୍ଷ ଲକ୍ଷ ଯୁବକ ଚାକିରି ହରାଇଲେ । ବର୍ତ୍ତମାନ ଯାହାବି ଚାକିରି ମିଳୁଛି ସେଥିରେ ଛଟେଇର ଭୟ ଲାଗିରହୁଛି ବୋଲି ସେ କହିଛନ୍ତି । ଫ୍ଲେକ୍ସ ଆଳରେ ରଙ୍ଗତୁଳୀ କଳାକାରଙ୍କ କାମ ଛଡ଼ାଇ ନିଆଗଲା । କିଛି କଳାକାର ଗାଡ଼ି ନମ୍ବର ପ୍ଲେଟ କାମ କରି ପରିବାର ଚଳାଉଥିବା ବେଳେ ୧ ଅପ୍ରେଲ ୨୦୧୯ ଠାରୁ ନୂଆ ପରିବହନ ନୀତି ଲାଗୁ ପରେ ସେତକ ବି ହାତରୁ ଚାଲିଗଲା । ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ସରକାର କର୍ପୋରେଟ ମାନଙ୍କ ସ୍ବାର୍ଥରେ ଛୋଟ ଉଦ୍ୟୋଗ ଉପରେ ଆକ୍ରମଣ କରି ଚାଲିଥିବା ସଙ୍ଘ ଅଭିଯୋଗ କରିଛି । ଏଣୁ ଜିଲ୍ଲାର ଛାତ୍ର, ଯୁବକ, ଶ୍ରମିକ, କୃଷକ, ମହିଳା, ଶିଳ୍ପୀ ଓ କଳାକାର ଆଦି ସମସ୍ତେ ରାଷ୍ଟ୍ରୀୟ ରୋଜଗାର ନିତୀ ପ୍ରଣୟନ ପାଇଁ ୧୬ ଅଗଷ୍ଟ ଦିଲ୍ଲୀ ଜନ୍ତର ମନ୍ତର ଠାରେ ହେବାକୁ ଥିବା ସତ୍ୟାଗ୍ରହରେ ସାମିଲ ହେବାପାଇଁ ସେ ଆହ୍ବାନ ଦେଇଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର