ବ୍ରହ୍ମପୁର: ଚାଲିଛି ସମର ଭାକେସନ। ବର୍ଷ ତମାମ ପାଠ୍ୟ ପୁସ୍ତକ ମଧ୍ୟରେ ନିଜକୁ ଢୁବେଇ ମଜେଇ ରଖୁଥିବା ବିଦ୍ୟାର୍ଥୀ ଏବେ ଟେନସନ୍ ଫ୍ରି। କାରଣ ପରୀକ୍ଷା ଶେଷ ପରେ ଏବେ ଆଉ ବୋର ହେବେନି ବିଦ୍ୟାର୍ଥୀ । ଖାସ ଏମାନଙ୍କ ପାଇଁ ଖରା ଛୁଟିର ନିଆରା ଅନୁଭୂତି ଭେଟି ଦେଉଛି ସମର କ୍ୟାମ୍ପ। ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରରେ ୪ ରୁ ୧୭ ବର୍ଷର ପିଲାଙ୍କୁ ନେଇ ଚାଲିଛି ସ୍ୱତନ୍ତ୍ର ବାସ୍କେଟ ବଲ୍ ତାଲିମ ଶିବିର ।
ଏହି ତାଲିମ ଶିବିରରେ ବାସ୍କେଟବଲ, ଲ୍ୟାପ ସର୍ଟ ଓ ମ୍ୟାଚ୍ ଉପରେ ତାଲିମ ଦିଆଯାଉଥିବା ବେଳେ ସମୟାନୁବର୍ତ୍ତିତା ,ଶୃଙ୍ଖଳା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ବିଷୟରେ ଶିକ୍ଷା ଦିଆଯାଉଛି। ବ୍ରହ୍ମପୁର ସହରର ମଡର୍ଣ୍ଣ କ୍ଲବ ପକ୍ଷରୁ ଏଭଳି ଶିବିର ସପ୍ତାହର ବୁଧବାର ଓ ରବିବାର ଦିନ ଶିକ୍ଷା ପ୍ରଦାନ କରାଯାଉଛି। ତେବେ ଆଗାମୀ ଦିନରେ ତାଲିମ ପ୍ରାପ୍ତ ବିଦ୍ୟାର୍ଥୀ ମାନେ ଯେପରି ଭଲ କ୍ରୀଡାବିତ ହୋଇପାରିବେ ସେନେଇ ବିଭିନ୍ନ ପ୍ରକାର ଶିକ୍ଷା ଦିଆଯାଉଥିବା ତାଲିମ ଦେଉଥିବା କୋଚ୍ ଓ ପ୍ରଶିକ୍ଷକ କହିଛନ୍ତି ।
ପାଠ୍ୟକ୍ରମ ବାହାରେ କିଛି ଶିଖିବାର ମୌକା ସାଙ୍ଗକୁ ସମର କ୍ୟାମ୍ପରେ ଢେର୍ ସାରା ମସ୍ତି।ଏହି କ୍ୟାମ୍ପର ଆୟୋଜନ ଦ୍ୱାରା ବିଦ୍ୟାର୍ଥୀ ମାନଙ୍କ ମଧରେ ରହିଥିବା ଅନ୍ତନିର୍ହିତ ଗୁଣର ବିକାଶ ଘଟିବ ବୋଲି ଆଶା କରାଯାଉଛି । ସେପଟେ ବ୍ରହ୍ମପୁର ସହରରେ ଚାଲିଥିବା ଏହି ସମର କ୍ୟାମ୍ପ ଆସନ୍ତା ୫ ତାରିଖରେ ଉଦଯାପିତ ହେବ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ