ବ୍ରହ୍ମପୁର: ଆମ୍ ଆଦମୀ ପାର୍ଟି (AAP) ଦିଲ୍ଲୀରେ ସରକାର କ୍ଷମତାକୁ ଆସିବା ପରେ ସାଧାରଣ ଲୋକଙ୍କୁ ୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଯୋଗାଉଛି । ଆଉ ଏହି ସମାନ ଫର୍ମୁଲା ଓଡିଶାରେ ଆପଣାଇବାକୁ ଯୋଜନା କରୁଛି ଦଳ । ଓଡିଶାରେ ଦେୟମୁକ୍ତ ବିଜୁଳି ଯୋଗାଇବା ଦାବିରେ ରାଜ୍ୟ ବ୍ୟାପି ଆନ୍ଦୋଳନକୁ ତୀବ୍ରତର କରିବାକୁ ଆପ୍ ଘୋଷଣା କରିଛି । ବ୍ରହ୍ମପୁର ସହରରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ରାଜ୍ୟ ବ୍ୟାପୀ ଏହି ଆନ୍ଦୋଳନକୁ ତୀବ୍ରତର କରିବା ନେଇ ଦଳ ସ୍ପଷ୍ଟ କରିଛି ।
ଏହାସହ ଯୁବବର୍ଗଙ୍କୁ ଏଭଳି ଆନ୍ଦୋଳନରେ ଯେପରି ଅଧିକ ମାତ୍ରାରେ ସାମିଲ କରାଯିବ ସେ ନେଇ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି । ଘରକୁ ଘର ବୁଲି କର୍ମକର୍ତ୍ତା ଦସ୍ତଖତ ସଂଗ୍ରହ ଜାରି ରଖିଛନ୍ତି । ଏହି ଅଭିଯାନରେ ଆଗାମୀ ଜୁନ୍ ୧୦ ତାରିଖ ସୁଦ୍ଧା ୨୫ରୁ ୩୦ ଲକ୍ଷ ଲୋକଙ୍କ ଦସ୍ତଖତ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ସହରର ଟାଉନ ହଲ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ନବ ନିଯୁକ୍ତ ଓଡିଶା ପ୍ରଭାରୀ ଦିଲ୍ଲୀ କେଣ୍ଟର ବିଧାୟକ ବୀରେନ୍ଦ୍ର ସିଂ କାଡିଆନ, ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ବେଙ୍ଗାଲୁରୁର ଓଡ଼ିଆ ଯୁବ ଉଦ୍ୟୋଗପତି ନିତ୍ୟାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ଦଳ ପକ୍ଷରୁ ମେୟର ପ୍ରାର୍ଥୀନୀ ହୋଇଥିବା ସି.ପ୍ରିୟଙ୍କା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ