ବ୍ରହ୍ମପୁର: ଦୁଇ ସାଙ୍ଗ ମଧ୍ୟରେ ହୋଇଥିବା ଏକ ଗଣ୍ଡଗୋଳରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆସିଛି । ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଦେଖାଯାଇଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ଗୌରାଙ୍ଗ ମଣ୍ଡଳ ବୋଲି ଜଣାପଡିଛି ।
ଗତ ୨୬ ତାରିଖ ଠାରୁ ଗୌରାଙ୍ଗ ଫେରାର ଥିଲେ । ମାତ୍ର ଗୋଳନ୍ଥରା ନିକଟସ୍ଥ ଘଟକା ନଦୀରେ ତାଙ୍କ ମୃତଦେହ ମିଳିବା ପରେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ଗୌରାଙ୍ଗଙ୍କ ମୃତଦେହ ପଡିଥିବା ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଫଟୋ ଦେଖିବା ପରେ ପରିବାର ବର୍ଗ ଏହା ତାଙ୍କର ନିଖୋଜ ପୁତ୍ର ଗୌରାଙ୍ଗ ବୋଲି ଜାଣିପାରିଥିଲେ ବୋଲି ତାଙ୍କ ବାପା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ମୃତ ଗୌରାଙ୍ଗ ମଣ୍ଡଳ ପୂର୍ବରୁ ଲୁଗା ବିକ୍ରି କରୁଥିବାବେଳେ ସାଙ୍ଗ ଶିବ ମଣ୍ଡଳ ସହିତ ମିଶି ଉଭୟେ ସେଣ୍ଟ୍ରିଙ୍ଗ୍ କାର୍ଯ୍ୟ କରିବାକୁ ଯାଉଥିଲ । ଉଭୟଙ୍କ ଘର ପଞ୍ଚମା ଗ୍ରାମରେ । ତେବେ କିଛି କଥାକୁ ନେଇ ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଶିବ ଗୌରାଙ୍ଗଙ୍କୁ ହତ୍ୟା କରିଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।
ଏପଟେ ମୃତ ଗୌରାଙ୍ଗଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାବେଳେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏଥିସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ