ବାଲେଶ୍ଵର: ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗାଁରେ ଜଣେ ମହିଳା ରୋଗ ଯନ୍ତ୍ରଣା ସହି ନ ପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଛି। ସୁଇସାଇଡ଼ ନୋଟରେ ମହିଳା ଜଣଙ୍କ ରୋଗ ଯନ୍ତ୍ରଣା ସହିବାକୁ ଅକ୍ଷମ ବୋଲି ଲେଖିବା ସହ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗଣ୍ଡିବେଡ଼ ଗାଁର ସଞ୍ଜୟ ରାଉଳଙ୍କୁ ଖନ୍ତାପଡ଼ା ଅଞ୍ଚଳର ମିନାକ୍ଷୀ ଗତ 8 ବର୍ଷ ପୂର୍ବେ ବିବାହ କରିଥିଲେ । ପରିବାର ହସଖୁସିରେ ଚାଲିଥିବା ବେଳେ ମିନାକ୍ଷୀଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତର ଦେଖାଇବା ସହ ଅସ୍ତ୍ରୋପ୍ରଚାର ମଧ୍ୟ କରାଇଥିଲେ । ମାତ୍ର ଏଥିରେ କିଛି ସୁଫଳ ମିଳି ନଥିଲା । ତାଙ୍କ ଯନ୍ତ୍ରଣା ଧୀରେଧୀରେ ବଢ଼ିବାରେ ଲାଗିଥିଲା । ଏହାକୁ ନେଇ ମିନାକ୍ଷୀ ରବିବାର ବିଳମ୍ବିତ ରାତିରେ ଫ୍ୟାନରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନିକଟରୁ ଏକ ସୁଇସାଇଡ଼ ନୋଟ ଜବତ କରାଯାଇଥିବା ବେଳେ ସେଥିରେ ତାଙ୍କର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ବରଂ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି । ଖଇରା ପୋଲିସ ସୁଇସାଇଡ଼ ନୋଟ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ମୃତ ମହିଳାଙ୍କର ଗୋଟିଏ 6 ବର୍ଷର ଝିଅ ରହିଛି ।
ଇଟିଭି ଭାରତ, ବାଲେଶ୍ଵର