ବାଲେଶ୍ବର: ସିମୁଳିଆ ଥାନା ହାଟ ମଇତାପୁର ଗ୍ରାମରେ ବଡଭାଇ ଭାଙ୍ଗିଲା ସାନଭାଇର ନିର୍ମାଣଧୀନ ଘର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସାନଭାଇର ପରିବାର ଲୋକେ । ବଡଭାଇ ବାଞ୍ଛାନିଧି ପଣ୍ଡାଙ୍କ ପରିବାର ଲୋକେ ସାନଭାଇ ସଞ୍ଜୟ ପଣ୍ଡାଙ୍କ ଘର ଭାଙ୍ଗି ଥିବାର ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଦୁଇ ଭାଇଙ୍କ ମଧ୍ୟରେ ବହୁଦିନ ଧରି ଜମିଜମାକୁ ନେଇ ତିକ୍ତତା ଲାଗି ରହୁଥିଲା । ମା’ଙ୍କ ଭାଗରୁ ସାନଭାଇ ସଞ୍ଜୟଙ୍କୁ ମିଳିଥିବା ଜାଗାରେ ସେ ଘର ତିଆରି କରୁଥିଲେ । ଘରର କାନ୍ଥ ଅଣ୍ଟାଏ ପର୍ଯ୍ୟନ୍ତ ହୋଇସାରିଥିବାବେଳେ ବଡଭାଇଙ୍କ ପରିବାର ଲୋକ ମିଶି ଉକ୍ତ ନିର୍ମାଣଧୀନ ଘରକୁ ଶାବଳରେ ତାଡି ଭାଙ୍ଗି ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅନ୍ୟପଟେ ଏହି ଘଟଣାକୁ ନେଇ ସଞ୍ଜୟଙ୍କ ପରିବାର ପକ୍ଷରୁ ସିମୁଳିଆ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ