ବାଲେଶ୍ବର: କୋରୋନା କଟକଣା ପାଇଁ ଏବେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ରୋଜଗାର ଚିନ୍ତାରେ ପଡିଛନ୍ତି । ବାହାର ରାଜ୍ୟରେ କାମଧନ୍ଦାରୁ ବିରତ ହେବା ପରେ ସେମାନଙ୍କୁ ବାଧ୍ୟ ହୋଇ ନିଜ ଘରକୁ ଫେରିବାକୁ ପଡିଛି । ହେଲେ ଘରକୁ ଫେରିବା ପରେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନେ ହତୋତ୍ସାହିତ ହୋଇ ପଡିଛନ୍ତି। ରୋଜଗାରର କୌଣସି ପନ୍ଥା ମିଳୁନଥିବାବେଳେ କେହି କେହି ଦୋକାନ କରି ବସୁଛନ୍ତି ତ ପୁଣି କିଏ ବେରୋଜଗାର ହୋଇଯାଇଛନ୍ତି । ଏମିତି ପରିସ୍ଥିତିରେ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରି ହେବାର ସନ୍ଦେଶ ଦେଇଛନ୍ତି କିଛି ଯୁବଚାଷୀ ।
ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କଅଁରାଳି ଅଞ୍ଚଳର ଯୁବଚାଷୀ ବିଶ୍ବନାଥ ଓ ଦାମୋଦର । ସେମାନଙ୍କ ଜମିରେ ହୋଇଥିବା ପରିବା ଚାଷକୁ ଦେଖିଲେ କୌଣସି ସୁନା ଫସଲଠୁ କମ ନୁହେଁ । ଏହି ଯୁବଚାଷୀମାନେ ଜୈବିକ ପଦ୍ଧତିରେ ଚାଷ କରି ମାସକୁ ରୋଜଗାର କରୁଛନ୍ତି ମୋଟା ଅଙ୍କର ଟଙ୍କା । ସେମାନେ ତାଙ୍କ ବାଡ଼ିରେ ଅମୃତଭଣ୍ଡା, ଲାଉ, ପୋଟଳ, କାକୁଡି, କଞ୍ଚାଲଙ୍କା ଭଳି ଫଳାଇଛନ୍ତି ଅନେକ ପରିବା । ଦୈନିକ ରେମୁଣା ହାଟକୁ କ୍ବିଣ୍ଟାଲ କ୍ବିଣ୍ଟାଲ ପରିବା ରପ୍ତାନି କରୁଛନ୍ତି ଏହି ଯୁବଚାଷୀମାନେ ।
ପାଠପଢ଼ା ସରିବା ପରେ ଚାକିରୀ ପଛରେ ନ ଗୋଡ଼ାଇ ବାପା ଦାଦାମାନେ ଆପଣେଇଥିବା କୃଷିକୁ ଏମାନେ ମଧ୍ୟ ଆପଣେଇ ନେଇଥିଲେ । କୋରୋନା କଟକଣା ଭିତରେ ବି ଏମାନଙ୍କ ରୋଜଗାର ଉପରେ କୌଣସି ପ୍ରଭାବ ପଡିନି । ବରଂ ଏମାନେ ନିଜ ଚାଷ କ୍ଷେତ୍ରରେ ଆହୁରି ଅଧିକ ସମୟ ଦେଇ ସୁନା ଫଳାଇଛନ୍ତି । ହଜାର ହଜାର ହେକ୍ଟର ଚାଷଜମି ପଡିଆ ପଡୁଥିବାବେଳେ ଏହି ଯୁବଚାଷୀମାନେ ନିଜ ଉଦ୍ୟମରେ ଜମିର ସୁବିନିଯୋଗ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଦେଉଛନ୍ତି ରୋଜଗାର ପନ୍ଥା । ଚାଷ କାର୍ଯ୍ୟରେ ନିୟୋଜିତ ହେଉଥିବା ଶ୍ରମିକମାନଙ୍କୁ ମଧ୍ୟ ଏମାନେ ସାଜିଛନ୍ତି ରୋଜଗାରର ମାଧ୍ୟମ ।
ଏମାନଙ୍କ ଏମିତି ଉଦ୍ୟମ ଓ ମନୋବଳ ଆଜି ଏମାନଙ୍କୁ ଦେଇଛି ଜଣେ ସଫଳ ଚାଷୀର ପରିଚୟ। ବାହାର ରାଜ୍ୟରୁ ଘରକୁ ଫେରିଥିବା ପ୍ରବାସୀମାନେ ଏମିତି ଚାଷ କରି ପରିବାର ପ୍ରତିପୋଷଣ କରିପାରିବେ ବୋଲି ଏହି ସଫଳ ଚାଷୀମାନେ ସନ୍ଦେଶ ଦେଇଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ