ବାଲେଶ୍ବର: କୋରୋନାର ଦ୍ବିତୀୟ ଲହରରେ ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସେପଟେ ସୀମାରେ ଯାଞ୍ଚ ଚାଲିଥିଲେ ମଧ୍ୟ ଅନେକ ଗଳାବାଟ ଦେଇ ପଶ୍ଚିମବଙ୍ଗରୁ ଲୋକମାନେ ଓଡିଶା ଆସୁଥିବା ଜଣାପଡିଛି । କୋଭିଡ ନିୟମ ପାଳନ, କଟକଣା, ସଟଡାଉନ ଆଦି ବିଷୟରେ ସମୀକ୍ଷା କରିବା ପାଇଁ ଡିଜିପି ଅଭୟ ବାଲେଶ୍ଵରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।
ସଡ଼କ ପଥରେ ଡିଜିପି ଆସି ବାଲେଶ୍ବର ସଦର ମହକୁମାରେ ପହଞ୍ଚିବା ପରେ ପୂର୍ବାଞ୍ଚଳ ଆଇଆଜିଙ୍କ କାର୍ଯ୍ୟାଳୟରେ କୋଭିଡ଼ ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ । 7 ପ୍ଲାଟୁନ ଫୋର୍ସ ବାଲେଶ୍ଵରରେ, 4 ପ୍ଲାଟୁନ ଫୋର୍ସ ମୟୂରଭଞ୍ଜରେ ମୁତୟନ ହୋଇଛନ୍ତି । 27 ଜଣ ଅଫିସର ବାଲେଶ୍ବର ଓ ମୟୂରଭଞ୍ଜରେ ମଧ୍ୟ 27ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି । ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ତନଖି ଫାଟକ ଓ ଉଦୟପୁର ତଥା ମୟୂରଭଞ୍ଜର ଜାମଶୋଳା ଏବଂ ଚକଶୁଳିଆପଦାରେ ଚେକିଂ କଡାକଡି କରାଯାଉଛି । ବାଲେଶ୍ଵର ସୀମାକୁ ଲାଗିଥିବା 28ଟି ଓ ମୟୂରଭଞ୍ଜ ସୀମାକୁ ଲାଗିଥିବା 32ଟି ସ୍ଥାନ ଉପରେ କଡା ନଜର ରଖାଯାଇଛି । ଗଳା ବାଟ ଦେଇ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ମୋବାଇଲ ଭ୍ୟାନ ଦ୍ୱାରା ପାଟ୍ରୋଲିଂ କରାଯାଇ ନିୟନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ