ବାଲେଶ୍ବର: ଜିଲ୍ଲାର ଜଳେଶ୍ବର ରାଜପଥରେ ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ କଣ୍ଟେନରରେ ଥିବା 25ରୁ ଊର୍ଦ୍ଧ୍ବ ଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
60 ନମ୍ବର ଜାତୀୟ ରାଜପଥର ଅଲାଲପୁର ରାସ୍ତା ନିକଟ ବେବି ଫ୍ଯାମିଲି ରେସ୍ତୋରାଁ ସାମ୍ନାରେ ଘଟିଛି ଏହି ଦୁର୍ଘଟଣା । ପଶ୍ଚିମବଙ୍ଗକୁ 100ରୁ ଊର୍ଦ୍ଧ୍ବ ଗୋରୁ ବୋଝେଇ କରି ନେଇଯାଉଥିବା ଏକ କଣ୍ଟେନର ଭାରସାମ୍ଯ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ତେବେ ଆବଶ୍ୟକତାଠାରୁ ଅଧିକ ଗୋରୁ ବୋଝେଇ ହୋଇଥିବା ହେତୁ ଘଟଣାସ୍ଥଳରେ 25ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଛି । ଏହାସହ 35ରୁ ଅଧିକ ଗୋରୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।
ତେବେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଛନ୍ତି । ପରେ ଜଳେଶ୍ବର ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପ୍ରତିଦିନ ଏମିତି ବେଆଇନ ଗୋ ଚାଲାଣ ଓ ଗୋମାଂସ ଚାଲାଣ ହେଉଥିବାବେଳେ ପ୍ରଶାସନ ନିରବ ହୋଇ ବସିବା ସାଧାରଣରେ ପ୍ରଶ୍ନ ଉଠିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ