ବାଲେଶ୍ବର: ସହରରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ ବ୍ୟବସ୍ଥା । ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁଁ ବସ ଚଳାଚଳ ବନ୍ଦ ରହିଛି । ଖବର ଅନୁଯାୟୀ, ବାଲେଶ୍ଵରରେ ଵିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା, ଦିବାଲୋକରେ ଚୋରୀ, ଛିନତାଇ, ରାହାଜାନୀ ସହ ଗୁଳିକାଣ୍ଡ ଜନ ଜୀଵନକୁ ଆତଙ୍କିତ କରିଥିବାବେଳେ ନିରବଦ୍ରଷ୍ଟା ସାଜିଛି ପୋଲିସ ପ୍ରଶାସନ ।
ଯାହାକୁ ନେଇ ସବୁ ମହଲରେ ନିନ୍ଦା କରିବା ସହିତ ପୋଲିସ ଅଧିକାରୀଙ୍କ ବଦଳୀ ନେଇ ବିଭିନ୍ନ ସଂଗଠନ ବନ୍ଦ ଡାକରା ଦେଇଥିଲେ । ପୋଲିସ ପ୍ରଶାସନର ଏପରି ନିଷ୍କ୍ରିୟତାକୁ ବିରୋଧ କରି ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ଵର ବନ୍ଦ ପାଳନ କରାଯାଉଛି । ପୋଲିସ ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ, ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି କଂଗ୍ରେସ, ବାଲେଶ୍ୱର ବାର ଆସୋସିଏସନ ଓ ବିଭିନ୍ନ ସଂଗଠନ ।
ବନ୍ଦ ଯୋଗୁଁ ସକାଳୁ ସହରରେ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ବନ୍ଦ ଡାକରାକୁ ସଫଳ କରିବାକୁ ଆନ୍ଦୋଳନକାରୀ ମୁଖ୍ୟରାସ୍ତା ବ୍ୟତୀତ ବିଭିନ୍ନ ଛକ ଗୁଡ଼ିକରେ ପିକେଟିଂ କରୁଥିବାବେଳେ, ରାଜରାସ୍ତାରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ବାଲେଶ୍ବର