ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ଅନୁମାନକୁ ସଂଶୋଧନ କଲା ରିଜର୍ଭ ବ୍ୟାଙ୍କ । କୋଭିଡ କଟକଣା ଓ ଏହାର ପ୍ରଭାବ ଯୋଗୁଁ 2021-22 ରେ ବିକାଶ ଦରକୁ ସାମାନ୍ୟ ହ୍ରାସ ନେଇ ଆକଳନ କରିଛି ମୁଦ୍ରା ନୀତି ବୈଠକ । ଚଳିତ ଆର୍ଥିକ ବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ 10.5 ପ୍ରତିଶତରୁ ହ୍ରାସ କରି 9.5 ପ୍ରତିଶତ ରଖିଛି ଆରବିଆଇ ।
ଗ୍ରାମାଞ୍ଚଳରେ କୋଭିଡ-19 ସଂକ୍ରମଣ ପ୍ରସାର ଦ୍ବାରା ଚିନ୍ତିତ ଆରବିଆଇ ଚଳିତ ଆର୍ଥିକ ବର୍ଷର ବିକାଶ ଅନୁମାନ 1 ପ୍ରତିଶତ କମାଇଛି ଆରବିଆଇ । ଶୁକ୍ରବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଦ୍ରାନୀତି କମିଟି ଏ ନେଇ ନିଷ୍ପତ୍ତି ନେଇଛି।
କୋଭିଡ-19ର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଥମ ତ୍ରୟମାସରେ ବିକାଶ ଅନୁମାନରେ ବଡ ହ୍ରାସ କରାଯାଇଛି । ଏହାକୁ 26.2 ପ୍ରତିଶତରୁ ହ୍ରାସ ହୋଇ 18.5 ପ୍ରତିଶତ କରିଦିଆଯାଇଛି । ଜୁଲାଇ-ସେପ୍ଟେମ୍ବରର ଦ୍ବିତୀୟ ତ୍ରୟମାସରେ ଅଭିବୃଦ୍ଧି ଅନୁମାନ ବି 8.3 ପ୍ରତିଶତରୁ ହ୍ରାସ ହୋଇ 7.9 ପ୍ରତିଶତ କରାଯାଇଛି ।
ରେପୋରେଟକୁ ଅପରିବର୍ତ୍ତିତ ରଖିଲା ଆରବିଆଇ । ଗତ ଥର ଭଳି ଏଥର 4 ପ୍ରତିଶତରେ ସ୍ଥିର ରହିଛି ସୁଧ ହାର।
ଗ୍ରାମାଞ୍ଚଳରେ ଚାହିଦା ମଜବୁତ ରହିଛି । ଆଉ ସ୍ବାଭାବିକ ମନସୁନ ପୂର୍ବାନୁମାନ ଦ୍ବାରା ଏହା ସୁଦୃଢ ରହିବା ସଙ୍କେତ ମିଳିଛି । ସେହିଭଳି ଗ୍ରାମାଞ୍ଚଳରେ କୋଭିଡ-19 ସଂକ୍ରମଣ ଦ୍ବାରା ବିକାଶ ଦର ହ୍ରାସ ଆଶଙ୍କା ରହିଛି । ଟିକାକରଣ ବୃଦ୍ଧି ହେବା ସହ ଆର୍ଥିକ ଗତିବିଧି ସ୍ବଭାବିକ ହେବା ଆଶା ତୃତୀୟ ଓ ଚତୁର୍ଥ ତ୍ରୟମାସ ଅନୁମାନରେ ବୃଦ୍ଧି ଅନୁମାନ କରାଯାଇଛି । ତୃତୀୟ ତ୍ରୟମାସରେ ବିକାଶ ହାର ଅନୁମାନ 5.4 ପ୍ରତିଶତରୁ ବଢି 7.2 ପ୍ରତିଶତ ଓ ଚତୁର୍ଥ ତ୍ରୟମାସ ପାଇଁ 5.2 ପ୍ରତିଶତରୁ ବଢି 6.6 ପ୍ରତିଶତ କରାଯାଇଛି ।