ନୂଆଦିଲ୍ଲୀ: ଆସନ୍ତା 6 ମାସରେ ବ୍ୟାଙ୍କରେ ଫସିରହିଥିବା ଋଣ ଅର୍ଥାତ ଏନପିଏରେ ଉଲ୍ଲେଖନୀୟ ବୃଦ୍ଧି ହୋଇପାରେ । ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ସମସ୍ୟାକୁ ଯେତେ ଶୀଘ୍ର ଚିହ୍ନଟ କରାଯିବ , ସେତେ ଭଲ ।
କୋଭିଡ-19 ଓ ଲକଡାଉନ ଯୋଗୁଁ କମ୍ପାନୀ ଉପରେ ପ୍ରତିକୂଳ ପ୍ରଭାବ ପଡିଛି । ଆଉ ସେଥିରୁ ଅନେକ ଋଣ କିସ୍ତି ପେମେଣ୍ଟ ନେଇ କଠିନ ସମସ୍ୟାର ସାମ୍ନା କରୁଛନ୍ତି ।
ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (NCAER) ଦ୍ବାରା ଆୟୋଜିତ ଇଣ୍ଡିଆ ପଲିସି ଫୋରମ 2020 ରେ କହିଛନ୍ତି କି, ‘‘ଯଦି ଆମେ ପ୍ରକୃତରେ ଏନପିଏ (ଅନାଦେୟ ଋଣ) ର ବାସ୍ତବ ସ୍ତରକୁ ଚିହ୍ନିପାରିବା, ତେବେ ଆଗାମୀ ମାସ ମଧ୍ୟରେ ଏନପିଏ ସ୍ତର ଯଥେଷ୍ଟ ପୂର୍ବାନୁମାନଯୋଗ୍ୟ ହେବାକୁ ଯାଉଛି । ଆମେ ସମସ୍ୟାରେ ପଡିଛେ ଏବଂ ଯେତେ ଶୀଘ୍ର ଏହାକୁ ଗ୍ରହଣ କରିବୁ, ସେତେ ଭଲ । କାରଣ ଆମକୁ ବାସ୍ତବରେ ଏହି ସମସ୍ୟାର ମୁକାବିଲା କରିବାକୁ ହେବ ବୋଲି ସେ କହିଛନ୍ତି।
ମଙ୍ଗଳବାର ପ୍ରକାଶିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ଆର୍ଥିକ ସୁଧାର ଉପରେ ଏକ ଲେଖାକୁ ନେଇ ରାଜନ କହିଛନ୍ତି କି, ଜନଧନ ଖାତା ସଫଳତା କୁହାଯାଉଛି । କିନ୍ତୁ ଅନେକ ଅର୍ଥନୀତିଜ୍ଞଙ୍କ ମତ ଏହାଠାରୁ ଭିନ୍ନ । ଜନଧନ ସେହିଭଳି ଭାବେ କାମ କରିଲାନାହିଁ , ଯେଉଁଭଳି ଏହାର ପ୍ରଚାର କରାଯାଇଥିଲା ।
ତେବେ ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତିର ଅନ୍ୟତମ ସକାରାତ୍ମକ ଦିଗ ହେଉଛି କୃଷି କ୍ଷେତ୍ର । ଯାହା ପ୍ରକୃତରେ ଭଲ କାମ କରୁଛି। ରାଜନ କହିଛନ୍ତି, ‘‘ନିଶ୍ଚିତ ଭାବରେ ସରକାର ସୁଧାରକୁ ଆଗକୁ ନେଇଛନ୍ତି। ଏହି ସୁଧାରଗୁଡିକ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଥିଲା । ଆଉ ଏହାକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ଦ୍ବାରା ଅର୍ଥନୀତିର ଏକ ବଡ ଅଂଶକୁ ଲାଭ ମିଳିବ ।’’