ନୂଆଦିଲ୍ଲୀ: ଆଗଉଛି ଦେଶ । ବଢୁଛି ଅଭିବୃଦ୍ଧି । ଛୁଟୁଛି ବିଦେଶୀ ନିବେଶକଙ୍କ ସଂଖ୍ୟା । ମଜବୁତ ହେଉଛି ଦେଶ ମେରୁଦଣ୍ଡ । ଶୀଘ୍ର ଭାରତର ଅର୍ଥନୀତି 5ଲକ୍ଷ କୋଟି ଡଲାରରେ ପହଞ୍ଚିବ । ଦକ୍ଷିଣ କୋରିଆରେ ନିବେଶକଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୂଚନା ଦେଇଛନ୍ତି ।
2ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ନରେନ୍ଦ୍ର ମୋଦି । ଗୁରୁବାର କୋରିଆ ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୋଦି ଭାରତ ଅର୍ଥନୀତିର ସଫଳତା ବଖାଣିଛନ୍ତି । ଏଥିସହ ଆଗାମୀ ଭାରତ ସୁନେଲୀ ଭବିଷ୍ୟତର ପ୍ରତିଶ୍ରୁତି ଦେଇ ନିବେଶଷକୁ ଦେଶ ପ୍ରତି ଆକୃଷ୍ଟ କରିଛନ୍ତି ।
କେବଳ ପ୍ରଂଶସା ନୁହେଁ ପ୍ରମାଣ ସ୍ବରୁପ ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତର ଜିଡିପି କିପରି କ୍ରମାଗତ ବୃଦ୍ଧି ପାଉଛି ତାହାର ଉଦାହରଣ ଦେଇଛନ୍ତି ମୋଦି । ସେ କହିଛନ୍ତି ଯେ, ଦୁନିଆର ଏପରି କୌଣସି ଦେଶ ନାହିଁ , ଯାହା ଭାରତ ଭଳି ବର୍ଷାନୁକ୍ରମିକ ବୃଦ୍ଧି ପାଇ ଚାଲିଛି । ହୁଣ୍ଡାଇ, ସ୍ୟାମସଙ୍ଗ ଓ ଏଲଜି ଇଲେକ୍ଟ୍ରୋନିକ୍ସ ସମେତ 600ରୁ ଅଧିକ କୋରିଆ କମ୍ପାନୀ ଭାରତରେ ପୁଞ୍ଜି ନିବେଶ କରିଛନ୍ତି । କାରଣ ଭାରତରେ ପୁଞ୍ଜି ନିବେଶ ପାଇଁ ଭରପୂର ସୁଯୋଗ ରହିଛି । ଆଗକୁ ମଧ୍ୟ ଏହି ସୁଯୋଗ ବଳବତ୍ତର ରହିବ ବୋଲି ଆହ୍ବାନ ଦେଲେ ମୋଦି ।