ପାଣାଜୀ: ସମଗ୍ର ଦେଶରେ ଲାଗି ଲକଡାଉନର ପ୍ରତିକୂଳ ପ୍ରଭାବ ପ୍ରାୟ ସମସ୍ତ ସ୍ତରରେ ପଡିଛି । ବିଭିନ୍ନ ସେକ୍ଟରର ବିକ୍ରି ଠାରୁ ରପ୍ତାନୀ, ଉତ୍ପାଦନ ଠାରୁ ନିଯୁକ୍ତି ପର୍ଯ୍ୟନ୍ତ ସବୁ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ପର୍ଯ୍ୟଟନ କ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି । କୋରୋନା କଟକଣା କାରଣରୁ ଗୋଆର ପର୍ଯ୍ୟଟନ ଉଦ୍ୟୋଗକୁ 1,000 କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ।
ଗୋଆ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ମନୋଜ କାକୁଲୋ (Manoj Caculo ) ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି । ଏଥିସହ ରାଜସ୍ବ ହ୍ରାସକୁ ପୂରା କରିବା ଏବଂ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ତତ୍କାଳ ପ୍ରଭାବରେ ଖନନ କାର୍ଯ୍ୟ ଆରମ୍ଭ ପାଇଁ ଅପିଲ କରିଛନ୍ତି ।
କାକୁଲୋ ନିଜ ବିବୃତ୍ତିରେ କହିଛନ୍ତି କି, ବିଭିନ୍ନ ଏଜେନ୍ସି ଦ୍ବାରା ଏହା ଅନୁମାନ ଲଗାଯାଇଛି ଯେ, ରାଜ୍ୟର ପର୍ଯ୍ୟଟନ ଉଦ୍ୟୋଗ ଏଠାକାର ରାଜସ୍ବ ଆୟର ବଡ ଉତ୍ସ । ଲକଡାଉନ ଯୋଗୁଁ ଏହି ସେକ୍ଟରକୁ ପ୍ରାୟ 1 ହଜାର କୋଟି ଟଙ୍କା ହରେଇବାକୁ ପଡିଛି ।
ତେବେ କାକୁଲୋ ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟରେ ଖନନ ଗତିବିଧିକୁ ପୁଣି ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ନେତୃତ୍ବଧୀନ ସରକାରଙ୍କ ଦ୍ବାରା ନିଆଯାଇଥିବା ସକ୍ରିୟ ପଦକ୍ଷେପର ସ୍ବାଗତ କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରୀୟ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସଙ୍ଗ ବୈଠକ ସାମିଲ ରହିଛି ।
ସେ କହିଛନ୍ତି କି ‘‘ ଖନନ ଗତିବିଧି ପୁଣି ପରିଚାଳନା ଦ୍ବାରା ରୟାଲିଟି ଓ କର ରୂପରେ ରାଜକୋଷରେ ବୃଦ୍ଧି ହେବ । ଯାହାର ଆବଶ୍ୟକତା ଏବେ ବହୁତ ଅଧିକ ରହିଛି । ଏଥିସହ ମହାମାରୀର ଏହି ଚ୍ୟାଲେଞ୍ଜିଂ ସମୟରେ ଗୋଆର ହଜାର ହଜାର ଲୋକଙ୍କୁ ମଧ୍ୟ ନିଯୁକ୍ତି ମିଳିପାରିବ । ’’