ବେଙ୍ଗାଲୁରୁ: ଦେଶର ଦ୍ୱିତୀୟ ବୃହତ୍ତମ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ଇମ୍ଫୋସିସ ଆସନ୍ତା 2 ବର୍ଷରେ 12,000 ଆମେରିକୀୟଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଛି । ମଙ୍ଗଳବାର ଏକ ବିବୃତ୍ତିରେ କମ୍ପାନୀ ଏ ନେଇ କହିଛି ।
ବିବୃତ୍ତି ଅନୁଯାୟୀ, "2017ରେ କମ୍ପାନୀ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 25,000 ଆମେରିକୀୟଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏପର୍ଯ୍ୟନ୍ତ କମ୍ପାନୀ ଆମେରିକାରେ 13,000 ନିଯୁକ୍ତି ସୃଷ୍ଟି କରିଛି । ଅବଶିଷ୍ଟ 12,000 ଲୋକଙ୍କୁ 2022 ସୁଦ୍ଧା ନିଯୁକ୍ତି ଦେବ।
କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଲିଳ ପାରେଖଙ୍କ ଉଦ୍ଦେଶ୍ୟରେ ଏକ ବିବୃତ୍ତିରେ କୁହାଯାଇଛି ଯେ, ଗତ ତିନିବର୍ଷ ମଧ୍ୟରେ କମ୍ପାନୀ ଆମେରିକାରେ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛି। 12,000 ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଏହି ନୂତନ ପ୍ରତିବଦ୍ଧତାକୁ ନେଇ ସେ ବହୁତ ଖୁସି ଅଛନ୍ତି ।
ଇମ୍ଫୋସିସ କହିଛି କି, ଅଭିଜ୍ଞ ଟେକ୍ନୋଲୋଜି ପ୍ରଫେସନାଲ ସହ ବିଭିନ୍ନ ବିଶ୍ୱବିଦ୍ୟାଳୟ, ଉଦାରବାଦୀ କଳା ମହାବିଦ୍ୟାଳୟ ଏବଂ କମ୍ୟୁନିଟି କଲେଜରୁ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ କମ୍ପାନୀ ଚାକିରୀ ଯୋଗାଇବ ।