ଚେନ୍ନାଇ: ‘‘ଆର୍ଥିକ ଅଭିବୃଦ୍ଧିକୁ ଗତି ଦେବା ପାଇଁ ଆମଦାନୀ କରିବା କିଛି ଖରାପ ନୁହେଁ । ହେଲେ ଗଣେଷ ମୂର୍ତ୍ତିଗୁଡିକୁ ଚୀନରୁ ଆମଦାନୀ କରିବା ବୁଝିବା ପରେ । ’’ ଗୁରୁବାର ଏ ନେଇ ପ୍ରଶ୍ନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଭିଡିଓ କନଫରେନ୍ସିଂ ଜରିଆରେ ବିଜେପିର ତାମିଲନାଡୁ ୟୁନିଟର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ସୀତାରମଣ କହିଛନ୍ତି ଯେ, ଦେଶରେ କଞ୍ଚାମାଲ ଉପଲବ୍ଧ ନାହିଁ । ଆଉ ଉଦ୍ୟୋଗକୁ ଏହାର ଆବଶ୍ୟକତା ରହିଛି । ଏଣୁ ଏହାର ଆମଦାନୀରେ କୌଣସି ସମସ୍ୟା ନାହିଁ ।
ସେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପଦକ୍ଷେପ ବିଷୟରେ କହିଛନ୍ତି ‘‘ ଯେଉଁ ଆମଦାନୀ ଉତ୍ପାଦନକୁ ଗତି ଦେବ ଆଉ ରୋଜଗାର ସୁଯୋଗ ବଝାଇବ , ସେଥିରେ କୌଣସି ଅସୁବିଧା ନାହିଁ । ଏଭଳି ଆମଦାନୀ କରାଯାଇପାରିବ ।
ଏଥିସହ ସୀତାରମଣ ଯୁକ୍ତି ବାଢିଛନ୍ତି କି, ଗଣେଷ ମୂର୍ତ୍ତି ମାଟିରୁ ତିଆରି ହୋଇଥାଏ । ଆଉ ପ୍ରତି ବର୍ଷ ଗଣେଷ ଚତୁର୍ଥୀ ଅବସରରେ ସ୍ଥାନୀୟ କୁମ୍ଭାର ଠାରୁ ଏହା ଆମେ କିଣିଥାଉ । ‘‘ହେଲେ ଆଜି , କାହିଁକି ଗଣେଷ ମୂର୍ତ୍ତି ଚୀନରୁ ଆମଦାନୀ ହେଉଛି ? ଏଭଳି ସ୍ଥିତି କାହିଁକି ? କଣ ଆମେ ମାଟିରୁ ଗଣେଷ ମୂର୍ତ୍ତି କରିପାରିବା ନାହିଁ ?"
ସେହିପରି ସାବୁନ ରଖିବା ଡବା, ପ୍ଲାଷ୍ଟିକ ସାମଗ୍ରୀ, ଅଗରବତି ଭଳି ସାମଗ୍ରୀ ଆମଦାନୀ ନେଇ ସୀତାରମଣ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଏଭଳି ଉତ୍ପାଦ ସବୁ ସ୍ଥାନୀୟ ସ୍ତରରେ ଘରୋଇ କମ୍ପାନୀ ଓ ଏମଏସଏମଇ କରିବା ସହ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ମିଳିପାରିବ ।
ଆତ୍ମନିର୍ଭର ଭାରତ ଅର୍ଥ ଆଦୌ ଆମଦାନୀ ହେବା ନୁହେଁ । ବରଂ ଯାହା ଅର୍ଥନୀତିକୁ ଗତି ଦେବ ଓ ରୋଜଗାର ଆଣିବ ସେସବୁ ଆମଦାନୀ କରିବା ଭଲ । ହେଲେ ଯାହା ଦ୍ବାରା ଦେଶ ଅର୍ଥବ୍ୟବସ୍ଥାକୁ କୌଣସି ଲାଭ ମିଳିବ ନାହିଁ , ତାହା ଉପରେ ରୋକ ଲଗାଯାଉ ବୋଲି କହିଛନ୍ତି ସୀତାରମଣ ।