ନୂଆଦିଲ୍ଲୀ: ଆସନ୍ତା 9ରେ ନୀତି ଆୟୋଗ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ସେ ବିଶେଷଜ୍ଞଙ୍କ ସହ ବୈଠକ କରିବେ। ଏଥିରେ ଆଗାମୀ ବଜେଟକୁ ନଜରରେ ରଖି ବର୍ତ୍ତମାନର ଅର୍ଥବ୍ୟବସ୍ଥା ଉପରେ ଚର୍ଚ୍ଚା ହୋଇପାରେ।
ଏହି ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଭାଗ ନେବେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗୁରୁବାର ପ୍ରଧାନମନ୍ତ୍ରୀ ନୀତି ଆୟୋଗ ଆସିବେ।
ଏବେ ସରକାର 2020-21 ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏପରି ସମୟରେ ଏହି ବୈଠକ ବହୁତ ଗୁରୁତ୍ବ ରଖୁଛି ।
ଏ ଭିତରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରମୁଖ ଉଦ୍ୟୋଗପତିଙ୍କ ସହ ଅର୍ଥବ୍ୟବସ୍ଥାତ ସ୍ଥିତି ଉପରେ ଆଲୋଚନା କରିଛନ୍ତି । ବିଶେଷ କରି ନିବେଶ ପାଇଁ ପ୍ରୋତ୍ସାହନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବିଚାର ବିମର୍ଷ ହୋଇଥିବା ଜଣାପଡିଛି।
ପ୍ରକାଶ ଯେ, ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 2020-21 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଏଥିରେ ଧୀମା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବାକୁ ବହୁ ଘୋଷଣା ହୋଇପାରେ ବୋଲି ଆଶା ରହିଛି।