ନୂଆଦିଲ୍ଲୀ: ଲକଡାଉନ ମାଡରେ ଧରାଶାୟୀ ଆସାମ ଓ ପଶ୍ଚିବଙ୍ଗର ଚା’ଉଦ୍ୟୋଗ । ମାର୍ଚ୍ଚ ଓ ମେ ଅବଧି ମଧ୍ୟରେ ଏହି ଉଦ୍ୟୋଗକୁ 2100 କୋଟି ଟଙ୍କା ରାଜସ୍ବ କ୍ଷତି ସହିବାକୁ ପଡିଛି । ସୋମବାର ଭାରତୀୟ ଚା’ସଂଘ (ଆଇଆଇଟି) ଏ ନେଇ ଅନୁମାନ କରିଛି ।
ସଂଘ ମୁତାବକ, ଏହି ସମୟରେ ଉଭୟ ରାଜ୍ୟରେ ଚା’ଉତ୍ପାଦନ 14 କୋଟି କିଲୋଗ୍ରାମ ହ୍ରାସ ପାଇଥିବା ଅନୁମାନ ରହିଛି । ଗତ ବର୍ଷ ନିଲାମୀ ଦାମ ଆଧାରରେ ଚା’ଉଦ୍ୟୋଗକୁ ଏଥର 2,100 କୋଟି ଟଙ୍କା କ୍ଷତି ଆକଳନ କରାଯାଉଛି ।
ସଂଘର ଅଧିକାରୀ ଏ ନେଇ କହିଛନ୍ତି ଯେ, ‘‘କୋଭିଡ-19 ସଂକ୍ରମଣ ରୋକିବାକୁ ଜାରି ଲକଡାଉନ ଯୋଗୁଁ ଚା’ ଉଦ୍ୟୋଗ ଉପରେ ବଡ ଆର୍ଥିକ ବୋଝ ଲଦି ହୋଇପଡିଛି ।’’ ଗତ 5 ବର୍ଷରେ ଚା’ ଉଦ୍ୟୋଗରେ ଉତ୍ପାଦନ ବଢିଥିଲେ ମଧ୍ୟ ତାହା ଅନୁପାତରେ ଦାମ ଏତେ ବଢିନି । ଏପଟେ ଲକଡାଉନ କାରଣରୁ ଆସାମ ଓ ପଶ୍ଚିମବଙ୍ଗରେ ମାର୍ଚ୍ଚ ଓ ଏପ୍ରିଲରେ ପାଖାପାଖି 65 ପ୍ରତିଶତ ଓ ମେ ରେ 50 ପ୍ରତିଶତ ହ୍ରାସ ହୋଇଛି ।
ଏଥିସହ ଏହି ଉଦ୍ୟୋଗରେ ନିୟୋଜିତ କର୍ମଚାରୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏଭଳି ସ୍ଥିତିରେ ଏହି 2 ରାଜ୍ୟ ସରକାର କେନ୍ଦ୍ରକୁ ଆର୍ଥିକ ପ୍ୟାକେଜ ଦାବି କରିଛନ୍ତି ।