ନୂଆଦିଲ୍ଲୀ: ବାଜ୍ୟାପ୍ତ ହେବ ଦ୍ରବ୍ୟ ଓ ସେବା କର (ଜିଏସଟି) ରିଟର୍ଣ୍ଣ ଦାଖଲ କରୁନଥିବା ଖିଲାପକାରୀଙ୍କ ସମ୍ପତ୍ତି । ଏଥିସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଟିକସ ଅଧିକାରୀଙ୍କ ଫ୍ରିଜ ହେବ । ଏ ନେଇ ଜିଏସଟି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ବହିଃଶୁଳ୍କ ବୋର୍ଡ( ସିବିଆଇସି) ଜାରି କରିଥିବା ଏସଓପି ଅନୁଯାୟୀ, କେନ୍ଦ୍ର ଜିଏସଟି ଆଇନ ଅଧିନରେ ଯେଉଁମାନେ ରିଟର୍ଣ୍ଣ ଦାଖଲ କରୁନାହାଁନ୍ତି ସେମାନଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଖାତାକୁ ଜବତ କରାଯାଇପାରିବ । ଆଉ ଯଦି ଏ ନିର୍ଦ୍ଦିଷ୍ଟ ଅବଧି ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖଲ ନହୁଏ , ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ପଞ୍ଜିକରଣକୁ ରଦ୍ଦ କରିପାରିବେ ବୋଲି ଜିଏସଟି କମିଶନରଙ୍କୁ କୁହାଯାଇଛି । ତେବେ ଜିଏଟି ଆଇନ ଅଧିନରେ ପଞ୍ଜିକରଣ ରଦ୍ଦ ଅଧିକ କଡା ରହିବ ବୋଲି ଟିକସ ବିଶେଷଜ୍ଞ ମତ ଦେଇଛନ୍ତି ।
ଅର୍ଥନୀତି ମାନ୍ଦା ଆଡକୁ ଗତି କରିବାର ବଡ କାରଣ ହେଉଛି ରାଜସ୍ବ ହ୍ରାସ । କାରଣ ଦିନକୁ ଦିନ ରିଟର୍ଣ୍ଣ ଦାଖଲ ଓ ଟିକସ ସଂଗ୍ରହ କମିବାରେ ଲାଗିଛି । ଏଣୁ ଟିକସ ଠକେଇଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସରକାର ଏଭଳି ପଦକ୍ଷେପ ଉଠାଉଛନ୍ତି । 2019 ଜୁନ ସୁଦ୍ଧା ମୋଟ 1 କୋଟି 22 ଲକ୍ଷ ଜିଏସଟି ପଞ୍ଜିକରଣ ହୋଇଛି । ସେଥିମଧ୍ୟରୁ ଅକ୍ଟୋବର ସୁଦ୍ଧା ମାତ୍ର 78 ଲକ୍ଷ ଜିଏସଟି ରିଟର୍ଣ୍ଣ ଭରିଛନ୍ତି ।