ନୂଆଦିଲ୍ଲୀ: ଦେଶ ମେରୁଦଣ୍ଡକୁ ସଳଖିବ ସଂଶୋଧିତ ଜିଏସଟି ହ୍ରାସ । ଶୁକ୍ରବାର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 37ତମ ଜିଏସଟି ପରିଷଦ ବେଠକରେ 20 ବସ୍ତୁ ଓ 12 ସେବା ଉପରୁ ଜିଏସଟି ଦର କମିଛି। ଏହା କେତେକଙ୍କ ପାଇଁ ଲାଭବାନ ହୋଇଥିଲା ବେଳେ କଫି, କୋଲ୍ଡ୍ରିଙ୍କ୍ସ ଭଳି ମୃଦ୍ୟୁ ପାନୀୟ କମ୍ପାନୀ ମୁଣ୍ଡରେ ଚଡକ ପଡିଛି। ତେବେ ପରିଷଦର ନିଷ୍ପତ୍ତି କ୍ଷୁଦ୍ର ବେପାରୀଙ୍କୁ ଆଶ୍ବସ୍ତି ଦେଇଛି।
ଏଣିକି ଫ୍ରି ରହିବ 2 କୋଟି ଟର୍ନ ଓଭର ଉପରେ ବାର୍ଷିକ ଜିଏସଟି ରିଟର୍ଣ୍ଣ ଦାଖଲ। ସେହିପରି ଭାରତରେ ପ୍ରସ୍ତୁତ ହେଉନଥିବା ଖାସ ଡିଫେନ୍ସ ପ୍ରଡକ୍ଟ ପାଇଁ ଜିଏସଟି ଦେବାକୁ ପଡିବ ନାହିଁ । 2024 ଏହି ଶ୍ରେଣୀକୁ ମୁକ୍ତି ମିଳିବା ନେଇ ନିର୍ମଳା କହିଛନ୍ତି।
ସ୍ଲାଇଡ ଫଷ୍ଟନର ଉପରେ ଜିଏସଟି ହାର 18ରୁ ହ୍ରାସ ପାଇ 12, ମରୀନ ଇନ୍ଧନ ଉପରେ 18ରୁ ଖସି 5 ପ୍ରତିଶତ କରାଯାଇଛି । ଏହିପରି ଭାରତରେ ହେବାକୁ ଥିବା ଅଣ୍ଡର-17 ୱାର୍ଡ କପ ପାଇଁ ଫିଫାକୁ ସାମଗ୍ରୀ ଯୋଗାଣ ପାଇଁ ଜିଏସଟି ଲାଗିବ ନାହିଁ । ହେଲେ ରେଳ ୱାଗନ ଓ କୋଚ ନିର୍ମାଣ ପାଇଁ ସାମଗ୍ରୀ ଯୋଗାଣ ମହଙ୍ଗା ହେବ । ଏହା ଉପରେ ଜିଏଟି 5 ପ୍ରତିଶତ ଲାଗୁଥିବା ବେଳେ ଅକ୍ଟୋବର ପହିଲାରୁ 12 ପ୍ରତିଶତ ଲାଗିବ।