ନୂଆଦିଲ୍ଲୀ: ଋଣ ଉପରେ ମୋରାଟୋରିୟମ ବଢାଇବାକୁ ସରକାର ସୁପ୍ରିମକୋର୍ଟରେ ନିଜ ଆଫିଡେଭିଟ୍ ଉପସ୍ଥାପନା କରିଛନ୍ତି । ଦୁଇ ବର୍ଷ ପାଇଁ ମୋରାଟୋରିୟମ ବୃଦ୍ଧି କରାଯାଇପାରିବ ବୋଲି ସରକାର ଏଥିରେ ସୂଚିତ କରିଛନ୍ତି କିନ୍ତୁ କିଛି ସେକ୍ଟର ଏହାର ସୁବିଧା ପାଇପାରିବେ । ଏହାସହ କେଉଁ କ୍ଷେତ୍ରକୁ ଅଧିକ ରିଲିଫ୍ ଦିଆଯାଇପାରିବ ସେ ନେଇ ମଧ୍ୟ ସରକାର ଏକ ତାଲିକା ଦାଖଲ କରିଛନ୍ତି । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର କରାଯିବ ।
ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ କହିଛନ୍ତି ଯେ ଆମେ ଏଭଳି କ୍ଷେତ୍ରଗୁଡିକୁ ଚିହ୍ନଟ କରୁଛୁ ଯେଉଁଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା । ଅନ୍ୟପଟେ ସୁପ୍ରିମକୋର୍ଟ ଏନେଇ ବିଳମ୍ବ ଚାହୁଁନାହାଁନ୍ତି । ଗତ ସପ୍ତାହରେ, ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ଦୃଢ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ସରକାର ଋଣ ମୋରାଟୋରିୟମ ମାମଲାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଆଫିଡେଭିଟ୍ ଦିଅନ୍ତୁ ଓ ରିଜର୍ଭ ବ୍ୟାଙ୍କ ପଛରେ ଲୁଚି ରୁହନ୍ତୁ ନାହିଁ ।
କିସ୍ତି ପରିଶୋଧ କରିବା ପାଇଁ ମୋରାଟୋରିୟମ ସମୟରେ ଋଣ ଛାଡ ମାଗିଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ସରକାରଙ୍କ ଲକଡାଉନ୍ କାରଣରୁ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଛି ।
ସୁପ୍ରିମକୋର୍ଟ ସରକାରଙ୍କୁ କହିଛନ୍ତି, ‘ଆପଣ କହିଥିଲେ ଯେ ରିଜର୍ଭ ବ୍ୟାଙ୍କ ଏ ବାବଦରେ ନିଷ୍ପତ୍ତି ନେବେ । ଏହି ପରିପ୍ରେକ୍ଷୀରେ ଆମେ ରିଜର୍ଭ ବ୍ୟାଙ୍କର ଜବାବ ଦେଖିଛୁ ଓ କେନ୍ଦ୍ର ସରକାର ଆରବିଆଇ ପଛରେ ଲୁଚିବାକୁ ଚେଷ୍ଟା କରୁଛି’ । ଗତ ମାର୍ଚ୍ଚରେ କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଏହା ଅନୁଯାୟୀ, କିସ୍ତି ପ୍ରଦାନ ଉପରେ କମ୍ପାନୀ ଓ ବ୍ୟକ୍ତିଗତ ଲୋକଙ୍କୁ 6 ମାସର ରିହାତି ପ୍ରଦାନ କରାଯାଇଥିଲା । ରିହାତି କିମ୍ବା କିସ୍ତି ଦେୟ ଉପରେ ପ୍ରତିବନ୍ଧକ ଅବଧି 31 ଅଗଷ୍ଟରେ ଶେଷ ହେବାର ଥିଲା ।
ପ୍ରକାଶଥାଉକି, ଋଣ ମୋରାଟୋରିୟମ ଏକ ପ୍ରକାର ସୁବିଧା ଯାହା କୋରୋନା ଦ୍ବାରା ପ୍ରଭାବିତ ଗ୍ରାହକ କିମ୍ବା କମ୍ପାନୀମାନଙ୍କୁ ଦିଆଯାଉଥିଲା । ଏହା ଅଧୀନରେ ଗ୍ରାହକ କିମ୍ବା କମ୍ପାନୀ ସେମାନଙ୍କର ମାସିକ କିସ୍ତି ସ୍ଥଗିତ କରିପାରିବେ । ବର୍ତ୍ତମାନ ଦେଶର ଅନେକ ବଡ ବ୍ୟାଙ୍କ ଏହି ସୁବିଧା ବୃଦ୍ଧି ନକରିବାକୁ ନିବେଦନ କରିଥିଲେ । HDFC ଲିମିଟେଡରେ ଚେୟାରମ୍ୟାନ୍ ଦୀପକ ପାରେଖ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଉଦୟ କୋଟାକ୍ କହିଛନ୍ତି ଯେ ଅନେକ ଲୋକ ଏହାର ଅଯୋଥା ଫାଇଦା ନେଉଥିବାରୁ ଏହି ସୁବିଧା ଆଗକୁ ବଢିବା ଉଚିତ ନୁହେଁ ।