ଚୀନ ଉପକରଣକୁ ବର୍ଜନ ପାଇଁ ଆହ୍ବାନ
ସୋଶାଲ୍ ମିଡିଆରେ ଚୀନ ତିଆରି ଜିନିଷକୁ ବର୍ଜନ କରିବା ପାଇଁ ଆହ୍ବାନ ଜୋରସୋରରେ ଟ୍ରେଣ୍ଡ କରୁଛି। ଯଦିଓ ଏ ବାବଦରେ ଅନେକ ସମୟ ହେଲା ତର୍କ-ବିତର୍କ ହେଉଛି, କିନ୍ତୁ କୋଭିଡ୍-୧୯ ପରବର୍ତ୍ତୀ ସମୟରେ ଏନେଇ ଦାବି ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ‘ଭୋକାଲ୍ ଫର ଲୋକାଲ୍’ କ୍ୟାମ୍ପେନ୍ ମଧ୍ୟ ଲୋକଙ୍କୁ ଘରୋଇ ଉତ୍ପାଦ ବ୍ୟବହାର କରିବା ଲାଗି ଆହ୍ବାନ ଦେଇଛି। ‘ଏହିଭଳି ଏକ ପରିସ୍ଥିତିରେ ପ୍ରାୟତଃ କୌଣସି ବ୍ୟକ୍ତି ଚୀନ ଉତ୍ପାଦକୁ କିଣିବାକୁ ଚାହୁଁ ନାହାନ୍ତି। ଏହି ସୁଯୋଗକୁ ଭାରତୀୟ ଶିଳ୍ପାନୁଷ୍ଠାନମାନେ ବ୍ୟବହାର କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ କହିଛନ୍ତି। ଟ୍ରେଡ୍ ୟୁନିୟନ୍ମାନେ ମଧ୍ୟ ଚୀନ ତିଆରି ଉପକରଣ ଆମଦାନୀକୁ ନିଷିଦ୍ଧ କରିବା ଲାଗି ଦାବି କରୁଛନ୍ତି। ଭାରତୀୟ ବଜାରରେ ଚୀନ ଉପକରଣ ବନ୍ୟା କିଛି ନୂଆ କଥା ନୁହେଁ, ଯଦିଓ ବଜାରରେ ଚୀନ ଉପକରଣର ପ୍ରବେଶ ଅନେକ ଦିନ ହେଲା ରହି ଆସିଛି କିନ୍ତୁ ଗଲା ୫ ବର୍ଷ ହେଲା ଏହା ତ୍ଵରାନ୍ବିତ ହୋଇଛି। ଏବେ ଭାରତରେ କାର୍ଯ୍ୟ କରୁଥିବା ଶ୍ରେଷ୍ଠ ୫ ସ୍ମାର୍ଟଫୋନ୍ ବ୍ରାଣ୍ଡ ଭିତରୁ ୪ଟି ଚୀନ ଉତ୍ପାଦ। ବାସ୍ତବରେ ଦେଖିବାକୁ ଗଲେ ଏହି ୪ କମ୍ପାନୀ ୨୦୨୦ ବର୍ଷର ପ୍ରଥମ କ୍ଵାର୍ଟରରେ ଭାରତର ସମସ୍ତ ସ୍ମାର୍ଟଫୋନ୍ ବିକ୍ରିର ୭୩ ପ୍ରତିଶତ ଅଂଶ ବ୍ୟବସାୟ କରିଛନ୍ତି। ଭାରତର ଟ୍ରେଡର ମହାସଂଘ (ସିଏଆଇଟି) ଚୀନ ଉତ୍ପାଦ ଉପରେ ନିର୍ଭରଶୀଳତା କମାଇବା ଏବଂ ଭାରତର ନିଜସ୍ଵ କମ୍ପାନୀଙ୍କ ଦ୍ଵାରା ନିର୍ମିତ ଉତ୍ପାଦର ବିକ୍ରି ବୃଦ୍ଧି ପାଇଁ ଏକ ପ୍ରୋତ୍ସାହନମୂଳକ ଅଭିଯାନ ଆରମ୍ଭ କରିଛନ୍ତି। ସିଏଆଇଟିର ଜାତୀୟ ସହାସଚିବ ପ୍ରବୀଣ ଖଣ୍ଡେଲ୍ୱାଲ୍ ନିକଟରେ କହିଛନ୍ତି ଯେ, ସେ ଏହି ମହାସଂଘ ନିଜର ସଦସ୍ୟ ଥିବା ୧୦ ହଜାର ବ୍ୟବସାୟିକ ସଂଘଙ୍କୁ ଚୀନ ଉତ୍ପାଦ ଆମଦାନୀ ବନ୍ଦ କରିବା ଲାଗି ନିବେଦନ କରିବାକୁ ସ୍ଥିର କରିଛି।
ବିଏୟୁ ଫର ଇ-କମର୍ସ
ଯେତେବେଳେ ଚୀନ୍ ଉତ୍ପାଦକୁ ନିଷିଦ୍ଧ କରିବା ଲାଗି ଏତେ ସଂଖ୍ୟାରେ ଚର୍ଚ୍ଚା ହେଉଛି ସେଠାରେ ଏହି ଉତ୍ପାଦଗୁଡ଼ିକ ଇ-କମର୍ସରେ ନିଜର ପ୍ରତିପତି ବଢ଼ାଇଚାଲିଛନ୍ତି। ଆମାଜନ୍ ଓ ଫ୍ଲିପ୍କାର୍ଟ ଭଳି ଇକମସ; କମ୍ପାନୀମାନେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହି ସମୟରେ ମଧ୍ୟ ଚୀନ୍ ମୋବାଇଲ୍ ବ୍ରାଣ୍ଡ ସାଓମି, ରିୟଲ୍ମି, ଓପୋ ଏବଂ ଭିଭୋ ମୋବାଇଲ୍ ବିକ୍ରି ସେହିଭଳି ରହି ଆସିଛି। ଚୀନ ଉତ୍ପଦ ବର୍ଜନ କରିବା ମାନେ ନୁହେଁ ଯେ, ଚୀନ ଦ୍ଵାରା ଉତ୍ପାଦିତ କୌଣସି ଦାନ୍ତଘଷା ବ୍ରଶ୍ ବା ଚୀନ୍ ତିଆରି ସ୍ମାର୍ଟଫୋନ୍କୁ ବର୍ଜନ କରିବା। ଏହି ଦେଶର କମ୍ପାନୀମାନେ ମୌଳିକ ବ୍ୟବସାୟରୁ ଉର୍ଦ୍ଧ୍ବକୁ ଉଠି ଏବେ ଋଣ କାରବାରରେ ମଧ୍ୟ ଆରମ୍ଭ କଲେଣି। ସାଓମି ( ମି କ୍ରେଡିଟ୍), ଓପୋ ( ଓପୋ କ୍ୟାଶ୍) ଭଳି ଅନ୍ଲାଇନ୍ ଟଙ୍କା ନେଣ ଦେଣ କାରବାର ଆରମ୍ଭ କରିଛନ୍ତି। ଏହିଭଳି ବ୍ୟକ୍ତିଗତ ଋଣ ପ୍ରଦାନ ବ୍ୟବସାୟରେ ସେମାନେ ଭାରତରେ ୫୦ ହଜାର କୋଟି ଟଙ୍କା ଋଣ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ଭାରତର ୩୦ ପ୍ରମୁଖ ଷ୍ଟାର୍ଟଅପ୍ ଯାହାଙ୍କ ମୋଟ୍ ନେଟ୍ୱର୍ଥ ୭୫୦୦ କୋଟି ଟଙ୍କା ସେଥିରୁ ୧୮ଟିରେ ଚୀନ୍ ନିବେଶକଙ୍କ ଅଂଶଧନ ରହିଛି। ଏହି ଟେକ୍ନୋଲୋଜି ଭିତ୍ତିକ ଷ୍ଟାର୍ଟଅପ୍ରେ ଚୀନ ନିବେଶ ସଂଖ୍ୟା ରହିଛି ୩.୦୨ଲକ୍ଷ କୋଟି ଟଙ୍କା । ଚୀନର ଟେକ୍ନୋଲୋଜି ସମ୍ରାଟ୍ ଅଲିବାବା ଗ୍ରୁପ୍ ସ୍ନାପ୍ଡିଲ୍ରେ ୫୨୮୪ କୋଟି ଟଙ୍କା ନିବେଶ କରିଥିବା ବେଳେ ପେ’ ଟିଏମ୍ରେ ୩ ହଜାର ୧୯ କୋଟି ଟଙ୍କା ଏବଂ ବିଗ୍ ବାସ୍କେଟ୍ରେ ୧୮୮୭ କୋଟି ଟଙ୍କା ନିବେଶ କରିଛି। ଅନ୍ୟଏକ ଚୀନ ଆନ୍ତର୍ଜାତିକ କମ୍ପାନୀ ଟେନ୍ଣ୍ଟେ ହୋ୍ଡିଙ୍ଗ୍ସ ଲିଭିଟେଡ୍ ଓଲା ଓ ଜୋମାଟୋରେ ୧୫୦୯ କୋଟି ଟଙ୍କା ନିବେଶ କରିଛି। ଏହିସବୁ କମ୍ପାନୀ ଭାରତରେ ଲକ୍ଷ ଲକ୍ଷ ସଂଖ୍ୟାରେ କର୍ମ ନିଯୁକ୍ତି ସୃଷ୍ଟି କରିଛନ୍ତି। ଏଣୁ ଯଦି ଭାରତୀୟ ବଜାରରେ ଆମେ ଚୀନର ବ୍ୟବସାୟକୁ ରୋକ୍ ଦେବା ଲାଗି ଚାହିଁବା ତେବେ ଏହିଭଳି ଭାବେ ଚୀନର ନିବେଶକୁ ମଧ୍ୟ ରୋକ୍ ଦେବାକୁ ହେବ।
ବିକଳ୍ପ ପନ୍ଥା
ଲଦାଖର ବିଶିଷ୍ଟ ଶିକ୍ଷା ସଂସ୍କାରକ ତଥା ଉଦ୍ଭାବକ ସୋନମ ୱାଙ୍ଗ୍ଚୁକ୍ ଚୀନ୍ ତିଆରି ଉତ୍ପାଦକୁ ବର୍ଜନ କରିବା ଲାଗି ଡାକରା ଦେଇଛନ୍ତି। ସେ କହିଛନ୍ତି ଯେ, ସପ୍ତାହକ ଭିତରେ ଚୀନ୍ ସଫ୍ଟଓ୍ବେର ତଥା ଆପ୍ଲିକେସନ୍ଠୁ ଓହରିବା ଲାଗି ସେ କହିଛନ୍ତି। ସେହିପରି ବ୍ୟବହାର କରୁଥିବା ଚୀନ ନିର୍ମିତ ଲାପ୍ଟପ୍, ମୋବାଇଲ୍ ଫୋନ୍ ଏବଂ ଅନ୍ୟ ଅଣ ଅତ୍ୟାବଶ୍ୟକ ସାମଗ୍ରୀକୁ ବର୍ଷକ ଭିତରେ ବର୍ଜନ କରିବା ଲାଗି ସେ ଡାକରା ଦେଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ଆସନ୍ତା କିଛି ବର୍ଷ ଭିତରେ ପର୍ଯ୍ୟାୟକ୍ରମରେ ବର୍ଜନ
କରିବାକୁ ସେ କହିଛନ୍ତି। ଚୀନ ତିଆରି ଏହିପି ଅତ୍ୟାବଶ୍ୟକ, ବା ଅଣ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ପ୍ରତି ଆକର୍ଷିତ ହେବାର କାରଣ ହେଉଛି ଏହାର ଶସ୍ତା ମୂଲ୍ୟ। ଏହିଧାରାରେ ଭାରତୀୟ କମ୍ପାନୀଙ୍କ ଦ୍ଵାରା ନିର୍ମିତ ଉତ୍ପାଦର ମୂଲ୍ୟ କମ୍ କରିବାକୁ ହେଲେ ସରକାରଙ୍କୁ ଟିକସ ନୀତିରେ ସଂସ୍କାର ଆଣିବାକୁ ହେବ। ଭାରତୀୟ କମ୍ପାନୀମାନଙ୍କୁ ଅଧିକ ଟିକସ ପ୍ରୋତ୍ସାହନ ଦିଆଯିବା ଜରୁରୀ ହେବ। ଆତ୍ମ ନିର୍ଭରଶୀଳ ଭାରତ ଯୋଜନାରେ ଭାରତ ସରକାରଯେଉଁ ପଦକ୍ଷେପସବୁ ଘୋଷଣା କରିଛନ୍ତି ସେସବୁ ଭାରତକୁ ଆତ୍ମ
ନିର୍ଭରଶୀଳ କରିବା ଲାଗି ସଫଳଭାବେ ରୂପାୟନ କରିବା ଆବଶ୍ୟକ। ଯଦି ତାହା କରାଯାଉ ନାହିଁ ତେବେ ଚୀନ ଉତ୍ପାଦକୁ ବର୍ଜନ କରିବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଅବାସ୍ତବ ହୋଇ ରହିବ। ବିଶ୍ଵୀକରଣ ଏବଂ ଉଦାରୀକରଣ ସମୟରେ ଗୋଟିଏ ଦେଶରେ ଉତ୍ପାଦିତ କୌଣସି ବି ସାମଗ୍ରୀ ବିଶ୍ଵର ଯେକୌଣସି କୋଣରେ ବିକ୍ରି ହୋଇପାରିବ। ବିଶ୍ଵ ବଜାରକୁ ଅନୁଶୀଳନ କଲେ ଏହା ଜଣାଯାଏ ଯେ, ଭାରତରୁ ଚୀନ ନିଜ ଆମଦାନୀର ସମୁଦାୟ ୩ ପ୍ରତିଶତ ସାମଗ୍ରୀ ଆମଦାନୀ କରୁଥିବା ବେଳେ ୫.୭ ପ୍ରତିଶତ ରପ୍ତାନୀ କରିଥାଏ। ୨୦୧୯ ଆର୍ଥିକ ବର୍ଷରେ ଭାରତ ଚୀନକୁ ୧.୨୮ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନୀ କରିଛି। ଏହି ରପ୍ତାନୀରେ ବିଭିନ୍ନ ପ୍ରକାରର ଜ୍ବେଲେରୀ, ଲୁହାପଥର ଏବଂ ତୁଳା ବା କପାସୂତା ଅନ୍ତର୍ଭୁକ୍ତ। ଯଦି ଆମେ ଚୀନ ସାମମଗ୍ରୀ ଆମଦାନୀ ଉପରେ ରୋକ ଲଗାଇବା ତେବେ ଚୀନ୍ ମଧ୍ୟ ଆମ ସାମଗ୍ରୀ ଆମଦାନୀ ଉପରେ ରୋକ୍ ଲଗାଇବ। ଏହା ହେଲେ ଭାରତୀୟ ଅର୍ଥନୀତିରେ ନକରାତ୍ମକ ପ୍ରଭାବ ପଡ଼ିବ। ଭାରତ ନିଜ ଆବଶ୍ୟକତାର ଦୁଇ ତୃତୀୟାଂଶ ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଇନ୍ଗ୍ରେଡିଏଣ୍ଟସ୍ ( ଏପିଆଇ) ଚୀନରୁ ଆମଦାନୀ କରିଥାଏ। ଏଣୁ ଯଦି ଆମେ ଚୀନରୁ ଆମଦାନୀ ଉପରେ ରୋକ୍ ଲଗାଉ ତେବେ ଭାରତୀୟ ଫାର୍ମାସ୍ୟୁଟିକାଲ୍ ଶିଳ୍ପ ଯଥେଷ୍ଟ ପ୍ରଭାବିତ ହେବ। ୨୦୧୮ ମସିହାରେ ଭାରତ ଏବଂ ଚୀନ ଯୁଗ୍ମ ଅର୍ଥନୀତିକ ଗୋଷ୍ଠୀ ଦିଲ୍ଲୀଠାରେ ଉଭୟ ଦେଶର ଆମଦାନୀ-ରପ୍ତାନୀ ଅସନ୍ତୁଳନତା ପରିପ୍ରେକ୍ଷୀରେ ଆଲୋଚନା କରିଥିଲେ। ଏହିକ୍ରମରେ କେନ୍ଦ୍ର ସରକାର କହିଥିଲେ ଯେ, ଉଭୟ ରାଷ୍ଟ୍ର ଦ୍ଵିପାକ୍ଷିକ ବ୍ୟବସାୟ ବୃଦ୍ଧି ପ୍ରୋତ୍ସାହନ ନେଇ ସହମତି ପ୍ରକାଶ କରିଛନ୍ତି। ସାମ୍ପ୍ରତିକ ଜଟିଳ ଅବସ୍ଥାରେ, ଚୀନ ଉତ୍ପାଦକୁ ବର୍ଜନ କରିବା ଲାଗି ସୋଶାଲ୍ ମିଡିଆରେ ଯେଉଁଭଳି ଭାବେ ଚର୍ଚ୍ଚା ହେଉଛି ତାହା ବାସ୍ତବିକ ରୂପ ନେବା ସହଜ ବ୍ୟାପାର ନୁହେଁ।
ଅତୀତର ବିଫଳ ପ୍ରୟାସ
ଅତୀତର ଏମିତି ଅନେକ ପ୍ରୟାସ ହୋଇଥିଲା। କିନ୍ତୁ ଆମେ ବିଦେଶୀ ଉତ୍ପାଦକୁ ବର୍ଜନ କରିବାରେ ବିଫଳ ହୋଇଛୁ। କେବଳ ଭାରତରେ ନୁହେଁ, ପ୍ରାୟ ସମସ୍ତ ଦେଶରେ ବିଦେଶୀ ଉତ୍ପାଦ ବର୍ଜନ ପ୍ରୟାସ ବିଫଳ ହୋଇଛି। ୧୯୩୦ ମସିହାରେ ଚୀନ୍ ଏମିତି ଏକ ପଦକ୍ଷେପ ଜାପାନିଜ୍ ଉତ୍ପାଦ ବର୍ଜନ କରିଥିଲେ। ନିକଟରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଫ୍ରାନ୍ସ ଉତ୍ପାଦକୁ ବର୍ଜନ ଘୋଷଣା କରିଥିଲେ। କିନ୍ତୁ ଏହି ଦୁଇ କ୍ଷେତ୍ରରେ ତାହା ବିଫଳ ବୋଲି ପ୍ରଭାବିତ ହୋଇଛି। ଖାଲି ସ୍ମାଟଫୋନ୍ କି ଲାପ୍ଟପ୍ ନୁହେଁ, ଅନେକ
ଇଲେକ୍ଟ୍ରନିକ୍ ସାମଗ୍ରୀରେ ଚୀନ୍ କମ୍ପାନୀମାନଙ୍କ ଦ୍ଵାରା ତିଆରି ସାମଗ୍ରୀ ଲାଗୁଛି। ଏହାର କାରଣ ହେଉଛି କମ୍ ଦାମ୍। ଶସ୍ତାରେ ଶ୍ରମିକ ମିଳିବା ଏବଂ ବ୍ୟବସାୟିକ କ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ହେତୁ ଚୀନ୍ ଏହିପରି ଶସ୍ତା ସାମଗ୍ରୀ ଉତ୍ପାଦନ କରିପାରୁଛି। ସେଥିପାଇଁ ଖାଲି ଭାରତ ନୁହେଁ, ଅନେକ ଦେଶ ଚୀନରୁ କଞ୍ଚାମାଲ୍ ଆମଦାନୀ କରୁଛନ୍ତି। ଏହିପରି ଏକ ପରିସ୍ଥିତିରେ କେଉଁଟି ଚୀନ ସାମଗ୍ରୀ ଆଉ କେଉଁଟି ନୁହେଁ ତାହା ବାଛିବା କଷ୍ଟକର। ଯଦି ଆମେ ବାସ୍ତବରେ ଚୀନର ଅର୍ଥନୀତିକୁ ହାନୀ ପହଞ୍ଚାଇବାକୁ ଚାହୁଁ ତେବେ ଆମକୁ ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ବର୍ଜନ କରିବାକୁ ହେବ। ନହେଲେ ଆମକୁ ସେହି ଦ୍ରବ୍ୟ ଅନ୍ୟ କୌଣସି ଦେଶରେ ଏକାଠି ହୋଇ ଅଧିକ ଦମେ୍ରେ ମିଳିବା ସ୍ଵଭାବିକ। ଏହାଦ୍ଵାରା ଆମର ଅର୍ଥନୀତିକ ବିକାଶ ( ଜିଡିପି) ପ୍ରଭାବିତ ହେବ। ଏଣୁ ଯେତେଶୀଘ୍ର ଭାରତ ନିଜ ଜ୍ଞାନ କୌଶଳରେ ଏହିପରି ସାମଗ୍ରୀ ଉତ୍ପାଦନ କରିବା ଆରମ୍ଭ କରିବ ସେତେ ଶୀଘ୍ର ଆମକୁ ‘ଭୋକାଲ୍ ଫର ଲୋକାଲ୍’ ଅଭିଯାନ ରାସ୍ତା ସୁଗମ ଦିଶିବ।