ନୂଆଦିଲ୍ଲୀ: 2019ରେ ଧୀମେଇ ପଡିଥିବା ଅର୍ଥନୀତି ଆସନ୍ତା ବର୍ଷ ଦ୍ରୁତ ଗତିଶୀଳ ହେବ । ବିକାଶ ବଢିବ । ରବିବାର ଏନେଇ ବିଶ୍ବାସ ଦର୍ଶାଇଛି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ।
ଦେଶର ଅଭିବୃଦ୍ଧି ପାଇଁ କେନ୍ଦ୍ର ବ୍ୟାଙ୍କ ଓ ସରକାର ନେଇଥିବା ପଦକ୍ଷେପ ସଫଳ ହେଉଛି । ଏହା ବ୍ୟତୀତ ଚୀନ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟି ବିବାଦ ସମାଧାନ ରାସ୍ତାରେ । ଯାହାର ପ୍ରଭାବ 2020 ଅର୍ଥନୀତିରେ ପ୍ରତିଫଳନ ହେବ ।
ଦିନକ ପରେ ବିଦାୟ ନେବ 2019 । ଏହି ବର୍ଷ ବିଭିନ୍ନ ସମସ୍ୟା ଭିତରେ ଘରୋଇ ଅର୍ଥବ୍ୟବସ୍ଥାର ବିକାଶ କମିଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆର୍ଥିକ ପ୍ୟାକେଜ ସହ କରରେ ମଧ୍ୟ ରିହାତି ଦେଇଛନ୍ତି । ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ବି ବହୁ ସଂସ୍କାର ସହ ରେପୋରେଟ ହ୍ରାସ କରିଛି । ଯାହା ଫଳରେ ବ୍ୟାଙ୍କରେ ସୁଧହାର ଶସ୍ତା ସହ ଋଣ କ୍ଷମତା ବଢିଛି । ଏହା ଦ୍ବାରା ମାନ୍ଦାବସ୍ଥାରୁ ମୁକୁଳି ଅର୍ଥନୀତି ବଳବାନ ହେବ ବୋଲି ସିଆଇଆଇ କହିଛି ।
ବିନିର୍ମାଣ ଏବଂ ସେବା କ୍ଷେତ୍ରରେ ପିଏମଆଇ( ପର୍ଚେଚିଙ୍ଗ ଏ ମ୍ୟାନେଜର୍ସ ଇଣ୍ଡେରକ୍ସ )ରେ ମଧ୍ୟ ସୁଧାର ଭଲ ଆସିଛି । ତେବେ ବିମାନ ଯାତ୍ରୀ ସଂଖ୍ୟା ବଢିଥିବା ବେଳେ ପାସେଞ୍ଜର ଯାନ ବିକ୍ରି ପ୍ରବଳ ମାତ୍ରାରେ କମିଛି । ହେଲେ ଆଗକୁ ସରକାରଙ୍କ ଯୋଜନାର ଫଳସ୍ବରୂପ ଜିଡିପି ବଢିବା ସମ୍ଭାବନା ଅଛି ।