ଭୁବନେଶ୍ବର: 2019 ନିର୍ବାଚନ ପାଇଁ ସରଗରମ ରହିଛି ରାଜନୈତିକ ମାହୋଲ । ଜନତାଙ୍କ ନିକଟତର ହେବାକୁ ନେତାଙ୍କ ମଧ୍ୟରେ ଚାଲିଛି ଅଙ୍କକଷା । ଆଉ ଏହି ଅଙ୍କକଷାରେ ନେତାଙ୍କ ଫୋକସରେ ଏବେ ଓଡିଶା ଜନତା । ପୂର୍ବରୁ ଗତ 29 ତାରିଖରେ ଓଡିଶା ଗସ୍ତରେ ଆସିଥିବା ମୋଦି ଆସନ୍ତାକାଲି(ମଙ୍ଗଳବାର) ଭୁବନେଶ୍ବର ଆସୁଛନ୍ତି । ଏସମ୍ପର୍କରେ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସକାଳ 10.30ରେ ମୋଦି ଝାରସୁଗୁଡା ବିମାନବନ୍ଦର ପହଞ୍ଚିବେ । ସେଠାରୁ ସମ୍ବଲପୁର ଅଭିମୁଖେ ବାହାରି ହୀରାକୁଦ ରୋଡ ଲୋପର ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମାବେଶ ପରେ ମୋଦି ଅପରାହ୍ନ ୫ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଏକ ରୋଡ ଶୋ ମାଧ୍ୟମରେ ବରମୁଣ୍ଡା ପଡିଆ ପର୍ଯ୍ୟନ୍ତ ପହଞ୍ଚିବେ । ଏଥିସହ ସେଠାରେ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ସେହିପରି ଆସନ୍ତା 17 ତାରିଖରେ ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗସ୍ତ କାଳରେ ଶାହ ଢେଙ୍କାନାଳ ଓ ନରସିଂହପୁରରେ ଏକ ଜନସଭାରେ ଯୋଗ ଦେବେ । ପରେ ସନ୍ଧ୍ୟାରେ କଟକରେ ଏକ ରୋଡ ଶୋ କରିବେ । ଏହି କ୍ରମରେ ୧୮ ତାରିଖରେ ଓଡିଶାରେ ନିର୍ବାଚନ ପ୍ରଚାର କରିବେ ବିଜେପିର ଦୁଇ ହେଭିୱେଟ୍ ନେତା ନୀତିନ ଗଡକରୀ ଓ ଉମା ଭାରତୀ । ୧୮ ଓ ୧୯ ତାରିଖରେ ଉମା ଭାରତୀ କଟକ, ଚୌଦ୍ୱାର ଓ ସତ୍ୟବାଦୀରେ ସଭା କରିବା ସହ ପୁରୀରେ ଏକ ରୋଡ୍ ଶୋ କରିବେ । ମୟୁରଭଞ୍ଜ, ଯାଜପୁର ଓ ପୁରୀ ଲୋକସଭା କ୍ଷେତ୍ରରେ 18 ତାରିଖ ଦିନ ଗଡକରୀ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ