ନୂଆଦିଲ୍ଲୀ: ଜୁନ 21ରେ ବିଶ୍ବବ୍ୟାପୀ ପାଳନ ହେବ ଅନ୍ତର୍ଜାତୀୟ ଯୋଗ ଦିବସ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଯୋଗକୁ ନେଇ ସୋସିଆଲ ମିଡିଆରେ ଆନିମେଟଡ୍ ଭିଡିଓ ଜାରି କରୁଛନ୍ତି । ଏହି ଭିଡିଓ ମାଧ୍ୟମରେ ମୋଦି ସାଧାରଣ ଜନତାଙ୍କୁ ଯୋଗ ଶିଖାଇବା ସହ ଏହା ଫାଇଦା ସମ୍ପର୍କରେ ମଧ୍ୟ ଅବଗତ କରାଉଛନ୍ତି ।
ମୋଦି ଜୁନ 5ରେ ନିଜ ଟ୍ବିଟରରେ ସର୍ବପ୍ରଥମେ ତ୍ରିକୋଣାସନ ଯୋଗର ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓ ସେୟାର କରିବା ପରେ ପ୍ରଧାନମନ୍ତ୍ରୀ ଲେଖିଥିଲେ ଯେ, ଜୁନ 21ରେ ଯୋଗ ଦିବସ ପାଳନ ହେବ । ଯୋଗକୁ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିବାକୁ ମୁଁ ଆପଣ ସମସ୍ତଙ୍କୁ ଆହ୍ବାନ କରୁଛି । ଯୋଗ ଦ୍ବାରା ଅନେକ ଲାଭ ମିଳିଥାଏ ।
ପ୍ରଧାନମନ୍ତ୍ରୀ ଦ୍ବାରା ଜାରି କରାଯାଇଥିବା ଏହି ଭିଡିଓ ଗୁଡିକରେ ଆପଣ ବିଭିନ୍ନ ପ୍ରକାର ଯୋଗ କରିବାର ଶୈଳୀ ଦେଖିପାରିବେ । ତ୍ରିକୋଣାସନ ପରେ ଜୁନ 6 ତାରିଖରେ ପ୍ରଧାନମନ୍ତ୍ରୀ ତାଡାସନର ଭିଡିଓ ସେୟାର କରି ଏହାର ଲାଭ ଓ କରିବା ଶୈଳୀ ଦେଖାଇଥିଲେ । ଏହା ପରେ ସେ ଜୁନ 7 ରେ ବୃକ୍ଷାସନ, 8 ରେ ଅର୍ଦ୍ଧଚକ୍ରାସନ, 9ରେ ପାଦହସ୍ତାସନ, 10ରେ ଉଷ୍ଟ୍ରାସନ, 11ରେ ଭଦ୍ରାସନ, 12ରେ ବକ୍ରାସନ, 13ରେ ବଜ୍ରାସନ, 14ରେ ପବନମୁକ୍ତାସନ, 15ରେ ଶଶାଙ୍କାସନ, 16ରେ ଭୁଜଙ୍ଗାସନ, 17ରେ ସାଲାଭାସନ ଏବଂ 18ରେ ସେତୁ ବନ୍ଧାସନର ଭିଡିଓ ସେୟାର କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରତିବର୍ଷ ଭଳି ଚଳିତବର୍ଷ ପ୍ରଧାନମନ୍ତ୍ରୀ ମୋଦି 21 ଜୁନରେ ସାର୍ବଜନୀନ କାର୍ଯ୍ୟକ୍ରମରେ ସାମିଲ ହେବେ । ଚଳିତ ଥର ସେ ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ସାଧାରଣ ଲୋକଙ୍କ ସହ ଯୋଗ କରିବେ । ଏହା ପୂର୍ବରୁ ସେ ଦିଲ୍ଲୀ, ଡେରାଡୁନ, ଚଣ୍ଡୀଗଡ ଏବଂ ଲକ୍ଷ୍ନୌରେ ଯୋଗ ଦିବସରେ ଭାଗ ନେଇ ସାରିଛନ୍ତି ।