କେନ୍ଦୁଝର: ମହାବିଷୁବ ପଣା ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଓଡ଼ିଆ ନୂବ ବର୍ଷ । ବର୍ଷ ଆରମ୍ଭ ହୋଇଥିବାରୁ ଓଡିଆ ପରିବାରରେ ଦେବାଦେବୀଙ୍କ ଠାରେ ସ୍ବତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏଥିପାଇଁ ରାଜ୍ୟର ବିଭିନ୍ନ ଦେବାଦେବୀ ମନ୍ଦିରରେ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥାଏ।
ସମସ୍ତେ ଏହି ଦିନକୁ ନିଜ ପରମ୍ପରା ଅନୁଯାୟୀ ପାଳନ କରୁଥିବା ବେଳେ ରାଜାରାଜୁଡା ଅଞ୍ଚଳରେ ଏହି ଦିନଟି ବିଶେଷ ଭାବେ ପାଳନ କରାଯାଇଥାଏ । କେନ୍ଦୁଝର ଜିଲ୍ଲାର ପୁରୁଣା ରାଜଧାନୀ ଥିବା ଜ୍ୟୋତିପୁରରେ ମହାବିଷୁବ ପଣା ସଂକ୍ରାନ୍ତି 7 ଦିନ ଧରି ପାଳିତ ହୋଇଥାଏ । ରାଜାରାଜୁଡା ଅମଳରୁ ଏଠାରେ ପଣା ସଂକ୍ରାନ୍ତିରେ ମା ବାସୁଳୀଙ୍କୁ ପୂଜା କରାଯାଏ । ଏହି ଅବସରରେ ଉଡା ଯାତ୍ରା ଓ ଫୁଡା ପର୍ବ ଆଦି ପାଳନ ହୋଇଥାଏ ।
ବିଶ୍ବାସ ରହିଛି ଯେ, ପଣା ସଂକ୍ରାନ୍ତି ଦିନ ମା'ଙ୍କୁ ସନ୍ତୁଷ୍ଟ କଲେ ମା' ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ସେଥିପାଇଁ ମାନସିକଧାରୀ ଭକ୍ତ ନିଜ ଦେହରେ କଣ୍ଟା ଫୋଡି ନୃତ୍ୟ କରି ମା' ଙ୍କ ଶରଣାପନ୍ନ ହୋଇଥାନ୍ତି । ଏଥିସହିତ ନିକଟସ୍ଥ ବୈତରଣୀ ନଦୀକୂଳରୁ ପଟି ଦେବତା ପୂଜା ହୋଇ ଗାଁ ବୁଲିଥାନ୍ତି । ଉକ୍ତ ପୂଜାକୁ ଆଦିବାସୀ ସମ୍ପ୍ରଦାୟ ସହିତ ସାଧାରଣ ବର୍ଗର ଲୋକେ ମିଳିତ ଭାବେ ପାଳନ କରିଥାନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ