ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବାକୁ ଜୋରଦାର ନିର୍ବାଚନୀ ରାଲି କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କ୍ରମରେ ମୋଦି ଶୁକ୍ରବାର ମହାରାଷ୍ଟ୍ରର ଅହମଦନଗରରେ ନିର୍ବାଚନୀ ରାଲି କରିଛନ୍ତି । ରାଲିରେ ମୋଦି ବିପକ୍ଷ ଦଳକୁ ଟାର୍ଗେଟ କରିଛନ୍ତି। ଦେଶକୁ ବିଶ୍ବସ୍ତ ଚୌକିଦାର ଦରକାର ନାଁ କି ଦୁର୍ନୀତି ଓ ଭ୍ରଷ୍ଟାଚାର ସରକାର ଦରକାର ବୋଲି କହିଛନ୍ତି।
ଗତ 5 ବର୍ଷ ମଧ୍ୟରେ ସାରା ଦୁନିଆ ଭାରତରେ ଜନତାଙ୍କ ସୁଖ ଦୁଃଖ ସହ ଚାଲୁଥିବା ଏକ ମଜବୁତ ଏବଂ ବୁଝିବିଚାରି ନିର୍ଣ୍ଣୟ ନେଉଥିବା ସରକାର ଦେଖିବାକୁ ପାଇଛି। ଏହାପୂର୍ବରୁ 10 ବର୍ଷ ପର୍ଯ୍ୟନ୍ତ ରିମୋଟ ଚାଳିତ ସରକାର ଥିଲା । ଯେଉଁଥିରେ ପ୍ରତିଦିନ ଦୁର୍ନୀତି ଏବଂ ଘୋଟାଲାର ଖବର ମିଳୁଥିଲା । ବର୍ତ୍ତମାନ ସମୟରେ ଭାରତକୁ ଏକ ମହାଶକ୍ତି ରୂପରେ ଦେଖୁଛି ସାରା ଦେଶ ।
ସେହିପରି ମୋଦି ରାଲିରେ ଆତଙ୍କବାଦୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ପୁଲୱାମା ଆତଙ୍କି ହମଲାର ଭାରତ ଜବାବ ଦେବା ପରେ ପାକିସ୍ତାନ ମନରେ ଭାରତ ଏବଂ ଭାରତର ଶକ୍ତିକୁ ନେଇ ଭୟ ରହିଯାଇଛି। ସେମାନଙ୍କର ଗୋଟିଏ ଭୂଲ ତାଙ୍କ ଉପରେ ଭାରି ପଡିପାରେ । ଦେଶର ଏହି ଚୌକିଦାର ତାଙ୍କୁ ପାତାଳରୁ ମଧ୍ୟ ଖୋଜି ବାହାର କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଏହା ପରେ ସେ ଦେଶରେ ଯଦି ପୁଣି ଥରେ ମୋଦି ସରକାର ଆସିବ ତେବେ ପିଏମ କିଷାନ ଯୋଜନାର ଲାଭ ଦେଶରେ ସବୁ ଚାଷୀଙ୍କୁ ମିଳିବ । ଏଥିସହିତ ଦିନରାତି ପରିଶ୍ରମ କରୁଥିବା ସବୁ ଛୋଟବଡ ଚାଷୀଙ୍କୁ 60 ବର୍ଷ ବୟସରେ ପେନସନ ମିଳିବ ବୋଲି କହିଛନ୍ତି । ତେବେ କଂଗ୍ରେସ ସରକାର ସମୟରେ ଟ୍ରେନ ବସରେ ବୋମା ବିସ୍ଫୋରଣ ଭଳି ଘଟଣା ସାମନାକୁ ଆସୁଥିଲା । କିନ୍ତୁ ବିଜେପି ସରକାର ଆସିବା ପରଠୁ ଦେଶରେ ଏଭଳି ଘଟଣା ଗୋଟିଏ ଥର ବି ଘଟିନାହିଁ । ମୋଦି ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଏବଂ ଏନସିପି ଏମିତି ଲୋକଙ୍କ ସହ ଛିଡା ହୋଇଛି ଯେଉଁମାନେ ଭାରତକୁ ଜମ୍ମୁ-କାଶ୍ମୀର ଅଲଗା କରିବାକୁ ଚାହୁଁଛନ୍ତି। ଏହାଛଡା ତାଙ୍କୁ କଂଗ୍ରେସ ଠାରୁ କୌଣସି ଆଶା ନଥିବା କହିଛନ୍ତି।
ମୋଦି ଏହା ମଧ୍ୟ କହିଛନ୍ତି ଯେ, ଜମ୍ମୁକାଶ୍ମୀରରୁ ସେନାକୁ ହଟାଇବାକୁ ଚାହୁଛି କଂଗ୍ରେସ। ଆଉ ସେନାକୁ ମିଳିଥିବା ବିଶେଷ ଅଧିକାରକୁ ମଧ୍ୟ ହଟାଇ ଦେବ। ଏହି କଥା ସେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଭୋଟରଙ୍କୁ କହିଛନ୍ତି । ସେହିପରି ମଧ୍ୟପ୍ରଦେଶରେ ଗରିବ ପିଲାଙ୍କୁ କୁପୋଷଣରୁ ରକ୍ଷା କରିବାକୁ ପଠାଯାଇଥିବା ଟଙ୍କାକୁ କଂଗ୍ରେସ ଲୁଟି ନେଇ ନିର୍ବାଚନୀ ପ୍ରଚାରରେ ଖର୍ଚ୍ଚ କରୁଥିବା ମୋଦି କହିଛନ୍ତି।