ଭୁବନେଶ୍ବର: ନିର୍ବାଚନ ପରେ ଶନିବାର ପ୍ରଥମ ଥର ରାଜ୍ୟ ବିଜେପି ରାଜଧାନୀରେ ଶକ୍ତିପ୍ରଦର୍ଶନ କରିଛି । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଛି ଦଳ । ଶନିବାର କେନ୍ଦ୍ରମନ୍ତ୍ରୀ ହେବାପରେ ପ୍ରଥମ ଥର ରାଜ୍ୟକୁ ଫେରିଥିଲେ ପ୍ରତାପ ଏବଂ ଧର୍ମେନ୍ଦ୍ର ।
ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ଦଳର ସମସ୍ତ ବିଜୟୀ ବିଧାୟକଓ ସାଂସଦଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଏହି ଅବସରରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଉଦବୋଧନ ଦେଇ ଦଳର ନୀତି ଆଦର୍ଶ ସହ ଅନେକ ବିଷୟରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ନିର୍ବାଚନରେ ଯେଉଁନେତାମାନେ ଦଳରେ ଥାଇ ଦଳ ବିରୋଧରେ କାର୍ଯ୍ୟକରିଛନ୍ତି ସେମାନଙ୍କୁ ଭଗବାନ କେବେ କ୍ଷମା କରିବେ ନାହିଁ ବୋଲି କହିଥିଲେ ପ୍ରତାପ ।
ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ଦଳର ମିଶନ 120 ପ୍ଲସ୍ କଥାକୁ ପୁଣିଥରେ ଦୋହରାଇ କହିଥିଲେ ଯେ ପର୍ଯ୍ୟନ୍ତ ଦଳ ଏହି ଲକ୍ଷ୍ୟ ହାସଲ କରିନାହିଁ ସେ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ । ଏହାସହ ରାଜ୍ୟବାସୀ ଯେଉଁ ବିଶ୍ବାସ ଓ ଭରସାରେ ବିଜେପିକୁ ଭୋଟ ଦେଇଛନ୍ତି ତାହା ବ୍ୟର୍ଥ ଯିବନି । ଦଳ ଲୋକଙ୍କ ବିକାଶ ପାଇଁ ଲଢେଇ ଜାରି ରଖିବା ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ