ମାଲକାନଗିରି: ସରକାର ଆଦିବାସୀଙ୍କ ବିକାଶ ପାଇଁ ଦିନରାତି କାନ୍ଦୁଥିବା ବେଳେ ପ୍ରକୃତରେ ସରକାରଙ୍କ କ୍ରନ୍ଦନରେ କେତେ ଲୁହ ଅଛି ତାହା ସରକାରଙ୍କୁ ହିଁ ଜଣା । ଅପହଞ୍ଚ, ଅବହେଳିତ ମାଓ ଉପଦ୍ରବ ମାଲକାନଗିରିରର ବହୁ ଅଞ୍ଚଳରେ ଅନେକ ଆଦିବାସୀ ଏବେ ବି ସରକାରଙ୍କ ବିକାଶ ଗାଡିକୁ ଅପେକ୍ଷା କରିଛନ୍ତି ଏମାନଙ୍କ ପାଖରେ ନା ଅଛି ବିକାଶ ନା ଅଛି ମୌଳିକ ସୁବିଧା । ଆଦିବାସୀଙ୍କ ବିକାଶ ଓ ସେମାନଙ୍କର ଉନ୍ନତି ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ତାହା ଏହି ଅପହଞ୍ଚ ଇଲାକାକୁ ପହଞ୍ଚିବା ପୂର୍ବରୁ ବାଟ ହୁଡି ଯାଉଛି ।
ଆମେ କହୁଛୁ ମାଓ ଅଧ୍ୟୁଷିତ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର କଥା । ଜିଲ୍ଲାର କାଳିମେଳା ବ୍ଲକ ପୁସୁଗୁଡା ଗ୍ରାମପଞ୍ଚାୟତର କାରାମଗୁଡାଓ ପେଡାଗୁଡା ଗ୍ରାମର କଥା । ଏଠି ପ୍ରାୟ ୧୦୦ କୋୟା ସମ୍ପ୍ରଦାୟ ପରିବାର ବସବାସ କରୁଛନ୍ତି । କିନ୍ତୁ ଗ୍ରାମକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତାଟିଏ ନାହିଁ, ଯଦ୍ବାରା ଗ୍ରାମର ବିକାଶ ପୁରା ଠପ । ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଏମାନଙ୍କ ପାଇଁ ସ୍ବପ୍ନ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସ୍ବାସ୍ଥ୍ୟ ସେବା ବିଗିଡିଲେ ରୋଗୀଙ୍କୁ ଭାରରେ ବୋହି ନେଇଯାନ୍ତି ଦୀର୍ଘ 3 କିଲୋମିଟର ଜିନାଲ ଗୁଡା ଗାଁ ଛକ ପର୍ଯ୍ଯନ୍ତ ।
ସେଠାରୁ କୌଣସି ନା କୌଣସି ଗାଡିରେ ରୋଗୀ ଯାଆନ୍ତି ହସ୍ପିଟାଲକୁ । ଗ୍ରାମରେ ନଳକୂପ ନଥିବାରୁ ଲୋକେ ପାନୀୟ ଜଳ ପାଇଁ କିଛିଦୂରରେ ଥିବା ନାଳ ପାଣିକୁ ହିଁ ଭରଷା କରିଥାନ୍ତି । ଆଉ ଉଦବେଗର କଥା ହେଲା ପିଡିଏସ ସାମଗ୍ରୀ ହେଉ ବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଏହି ଆଦିବାସୀଙ୍କୁ ପାହାଡ ଚଢି ପ୍ରାୟ 10 କିମି ଦୂରରେ ଥିବା ପଶୁଗୁଡା ପଞ୍ଚାୟତକୁ ଆସିଥାନ୍ତି । ହେଲେ ପିଡିଏସ ମଧ୍ୟ କେବେ ମିଳେ ତ କେବେ ମିଳେନାହିଁ ଏମାନଙ୍କୁ ।
ଫଳରେ ଏହି ଆଦିବାସୀ ଲୋକେ ଦେଶ ସ୍ବାଧୀନ ହେବାର 72 ବର୍ଷ ପରେ ବି ଯୋଉ ତିମିକୁ ସେଇ ତିମିରେ ଜୀବନ ବିତାଉଛନ୍ତି । ଗ୍ରାମବାସୀ ପଲ୍ଲୀସଭା ଓ ଗ୍ରାମସଭାରେ ସେମାନଙ୍କ ସମସ୍ୟା ଉପସ୍ଥାପନ କରିଥିଲେ ମଧ୍ୟ ଫଳ ଶୂନ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ