ମାଲକାନଗିରି: ଜିଲ୍ଲାରେ ଆଜି(ସୋମବାର) ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମାଲକାନଗିରି କୋଭିଡ ଚିକିତ୍ସାଳୟରେ ଜଣେ 51 ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ତାଙ୍କୁ କୋରୋନା ଆକ୍ରାନ୍ତ ହେବା ସହ ତାଙ୍କର ଶ୍ଵାସକ୍ରିୟା ଜନିତ ସମସ୍ୟା ସୃଷ୍ଟି ହୋଇଥିଲା ।
ଗତ ବୁଧବାର ରାତିରେ ଅତି ଗୁରୁତର ହୋଇ ପଡିବାରୁ ତାଙ୍କୁ ମାଲକାନଗିରି କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଥିଲା । ହେଲେ ପରେ ତାଙ୍କ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇ ପଡିଥିଲା । ତେବେ ତାଙ୍କ ମୃତଦେହକୁ ମାଲକାନଗିରି ପ୍ରଶାସନ ତରଫରୁ ଦାହ କରାଯାଇଥିଲା ।
ମାଲକାନଗିରି ପ୍ରଶାସନ ପକ୍ଷରୁ ତହସିଲଦାର, ଆଇଆଇସି, ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ନିଜେ ଉପସ୍ଥିତ ରହି ଅନ୍ତିମ ସଂସ୍କାର କରି ସମାଜ ପାଇଁ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ