ରାଇରଙ୍ଗପୁର: ପଞ୍ଚାୟତ ଗୃହ ନିର୍ମାଣ ପାଇଁ ବ୍ଲକ୍ କାର୍ଯ୍ୟାଳୟ ଘେରିଲେ ଶତାଧିକ ଗ୍ରାମବାସୀ । ଏଭଳି ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ନୁଷାଡିହି ଗ୍ରାମପଞ୍ଚାୟତର ପ୍ରାୟ ସାତୋଟି ଗ୍ରାମର ଶତାଧିକ ଗ୍ରାମବାସୀ ବିଜାତଳା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ମୁଖ୍ୟ ଫାଟକରେ ତାଲା ପକାଇଥିଲେ ।
ସୂଚନାନୁସାରେ, ନୁଷାଡିହି ଗ୍ରାମପଞ୍ଚାୟତଟି ନୂତନ ଭାବେ ଗଠନ କରାଯିବା ପରେ ଦୀର୍ଘ ଅଢେଇ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଗୃହ ନିର୍ମାଣ କରାଯାଇନାହିଁ । ତେବେ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେବା ସହିତ ଜାଗା ଚିହ୍ନଟ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପଞ୍ଚାୟତ ଗୃହ ନିର୍ମାଣ ହୋଇ ପାରିନାହିଁ । ଏନେଇ ଗ୍ରାମବାସୀ ବାରମ୍ବାର ବିଜାତଳା ବିଡ଼ିଓଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରୁନଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଫଳରେ ବାଧ୍ୟ ହୋଇ ଆଜି ବିଜାତଳା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ଖବର ପାଇ ବିଜାତଳା ବ୍ଲକ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ପଞ୍ଚାୟତ ନିର୍ମାଣ ନେଇ ଲେଆଉଟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ପ୍ରତିବାଦ ହଟିଥିଲା । ପ୍ରତିଶ୍ରୁତି ଅନୁସାରେ ଯଦି ଲେଆଉଟ ପ୍ରଦାନ କରାନଯାଏ, ଶୁକ୍ରବାର ଦିନରୁ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବେ ବୋଲି ନୁଷାଡିହି ଗ୍ରାମର ସରପଞ୍ଚ ଚେତାବନୀ ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ