ଯାଜପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଶ୍ରୀବନ୍ତପୁର ଗାଁରୁ । ମୃତ ଯୁବକ ଅଚ୍ୟୁଚାନନ୍ଦ ସ୍ବାଇଁଙ୍କ 24 ବର୍ଷୀୟ ପୁଅ ଶ୍ୟାମସୁନ୍ଦର ସ୍ବାଇଁ ।
ସୋମବାର ଗାଁ ନିକଟ ନଦୀବନ୍ଧରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶ୍ୟାମସୁନ୍ଦରଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଯାଜପୁର ରୋଡ଼ ମେଡିକାଲକୁ ନେଇଥିଲେ ପରିବାର ଲୋକେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ୟାମସୁନ୍ଦର ପେଷାରେ ଜଣେ ଟ୍ରାକ୍ଟର ଚାଳକ । ତେବେ କିଛି ବକେୟା ପଇସାକୁ ନେଇ ସ୍ଥାନୀୟ ଏକ ଆଦିବାସୀ ଦମ୍ପତିଙ୍କ ସହ ତାଙ୍କର ଶତ୍ରୁତା ରହିଥିଲା । ଏହି ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଦମ୍ପତ୍ତି ଶ୍ୟାମସୁନ୍ଦରକୁ ପିଟିପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପରିବାରଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଯାଜପୁର ରୋଡ଼ ମେଡିକାଲରେ ପହଞ୍ଚି ଶ୍ୟାମସୁନ୍ଦରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଘଟଣାର ତଦନ୍ତ କରୁଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ