ନୂଆଦିଲ୍ଲୀ: ଋଷ ଆକ୍ରମଣରେ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବା ୟୁକ୍ରେନରେ ରାଜଧାନୀ କିବ ଆଡକୁ ଅଗ୍ରସର ହେଉଛି ଋଷ ସେନା । ଏହାରି ମଧ୍ୟରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କିବ ଛାଡି ଅନ୍ୟତ୍ର ପଳାୟନ କରିଥିବା ଦାବି କରିଛି ଋଷ ।
ଋଷର ଡୁମା ଷ୍ଟେଟର ସ୍ପିକର ଭାୟାସ୍ଲାଭ ଭୋଲୋଡିନ କହିଛନ୍ତି ଯେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭୟରେ ରାଜଧାନୀ କିବ ଛାଡି ବର୍ତ୍ତମାନ ଲଭିଭରେ ଆତ୍ମଗୋପନ କରିଛନ୍ତି । ଭୋଲେଡିନ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛନ୍ତି, ଜେଲେନସ୍କି ଗତକାଲି ୟୁକ୍ରେନ ରାଜଧାନୀରେ ନଥିଲେ। ସେ ତାଙ୍କ ସହଯୋଗୀମାନଙ୍କ ସହ ଲଭିଭ ସହରକୁ ପଳାୟନ କରିଛନ୍ତି ।
ତେବେ ଏନେଇ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନଥିଲାବେଳେ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଜେଲେନସ୍କି ଦେଶ ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତିଙ୍କୁ ସେନା ପୋଷାକରେ ବିଭିନ୍ନ ସେନା କ୍ୟାମ୍ପରେ ଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏପରି ସ୍ଥଳେ ତାଙ୍କର ଫଳାୟନ ଖବରକୁ ମଧ୍ୟ ସହଜରେ ଗ୍ରହଣ କରାଯାଇ ପାରୁନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ