ହାଇଦ୍ରାବାଦ: ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ ଶର୍ମିଲା ଆଜି ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ସାକ୍ଷାତ କରିଛନ୍ତି । ନିଜ ପୁଅର ବିବାହରେ ସାମିଲ ହେବାକୁ ଶର୍ମିଲା ଚନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ କରିଛନ୍ତି । ଚଳିତମାସ 18 ତାରିଖରେ ଶର୍ମିଲାଙ୍କ ପୁଅ ରାଜା ରେଡ୍ଡୀଙ୍କର ଅଲଟୁରୀ ପ୍ରିୟାଙ୍କ ସହ ନିର୍ବନ୍ଧ ଓ ଆସନ୍ତାମାସ ଫେବୃଆରୀ 17ରେ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ବହୁ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରିଛନ୍ତି ଶର୍ମିଲା । ଆଜି ଚନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ କରିବା ପାଇଁ ସେ ତାଙ୍କ ବାସଭବନକୁ ଆସିଥିବା ଶର୍ମିଲା ଗଣମାଧ୍ୟମରେ କହିଛନ୍ତି ।
ଆଜି ପୂର୍ବାହ୍ନରେ ଚନ୍ଦ୍ରବାବୁ ନାଇଡୁଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ପହଞ୍ଚିଥିଲେ ଶର୍ମିଲା । ସପରିବାର ପୁଅର ବିବାହ ଉତ୍ସବରେ ଅତିଥି ହେବାକୁ ସେ ଚନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ କରିଥିଲେ । ଏହା ପରେ ସେ ନିଜେ ଗଣମାଧ୍ୟମରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । କହିଥିଲେ,‘‘ ଚନ୍ଦ୍ରବାବୁଙ୍କ ସହ ଏହି ସାକ୍ଷାତକାରେ କୌଣସି ରାଜନୈତିକ ପ୍ରସଙ୍ଗିକତା ନାହିଁ । ମୁଁ କେବଳ ଚନ୍ଦ୍ରବାବୁଙ୍କୁ ମୋ ପୁଅର ବିବାହକୁ ନିମନ୍ତ୍ରଣ କରିବାକୁ ଆସିଥିଲି । ଓ୍ବାଇଏସଆର ମଧ୍ୟ ଚନ୍ଦ୍ରବାବୁଙ୍କୁ ଆମ ବିବାହକୁ ନିମନ୍ତ୍ରଣ କରିଥିଲେ । ଖ୍ରୀଷ୍ଟମାସରେ ମୁଁ ଚନ୍ଦ୍ରବାବୁ ଏବଂ ଲୋକେଶଙ୍କୁ ମିଠା ପଠାଇଥିଲି । ଲୋକେଶ ମଧ୍ୟ ଖ୍ରୀଷ୍ଟମାସ ଅଭିନନ୍ଦନ ଜଣାଇଥିଲେ ।’’
ଏହା ମଧ୍ୟ ପଢନ୍ତୁ :- କଂଗ୍ରେସରେ ମିଶିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଶର୍ମିଲା
ଏଠାରେ ଉଲ୍ଲେଖଯୋଗ୍ୟ ଯେ, 4 ତାରିଖରେ କଂଗ୍ରେସରେ ସାମିଲ ହୋଇଥିଲେ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି (YSRTP) ନେତ୍ରୀ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇ.ଏସ ଶର୍ମିଲା । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଏଥିପାଇଁ ସେ ବୁଧବାର ରାତିରେ ଦିଲ୍ଲୀ ଗସ୍ତ କରିଥିଲେ ଶର୍ମିଲା । ଗୁରୁବାରରେ କଂଗ୍ରେସ ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ । କେସିଆରଙ୍କ ବିରୋଧରେ ବାରମ୍ବାର ଧାରଣା ଓ ପ୍ରତିବାଦ କରି ଚର୍ଚ୍ଚାରେ ଥାଆନ୍ତି ଶର୍ମିଲା । ସେ କଂଗ୍ରେସରେ ସାମିଲ ହେବା ପରେ ତାଙ୍କ ବାପା ତଥା ଅବିଭକ୍ତ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଏସଆର ରାଜଶେଖର ରେଡ୍ଡୀ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଇଚ୍ଛା ରଖିଥିବା କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ