ଡେରାଡୁନ: ଅଗ୍ନିପଥ ଯୋଜନାକୁ ନେଇ ଥମିବାର ନାଁ ନେଉନି ବିରୋଧ । ହରିୟାଣା ଠାରୁ ଉତ୍ତରପ୍ରଦେଶ ଯାଏଁ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ରାସ୍ତା ଉପରେ ପୋଡାଜଳା ଓ ଭଙ୍ଗାରୁଜା କରୁଛନ୍ତି ଆଶାୟୀ ଛାତ୍ର । ଉତ୍ତରାଖଣ୍ଡରେ ମଧ୍ୟ ଏହି ଯୋଜନା ପ୍ରତ୍ୟାହାର ଦାବିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବିଶେଷକରି ଶୁକ୍ରବାର ଉତ୍ତରାଖଣ୍ଡ ହଲଦ୍ବାନିରେ ବିକ୍ଷୋଭକାରୀ ଛାତ୍ରଙ୍କ ଉପରେ ପୋଲିସର ଲାଠିଚାର୍ଜ ପରେ ସ୍ଥିତି ଆହୁରି ସଙ୍ଗୀନ ହୋଇଯାଇଛି ।
ଅଗ୍ନିପଥ ଯୋଜନା ପ୍ରସଙ୍ଗରେ ଶୁକ୍ରବାର ଯୁବବର୍ଗଙ୍କ ଏକ ପ୍ରତିନିଧିମଣ୍ଡଳୀ ହଲଦ୍ବାନି ସର୍କିଟ ହାଉସ ଠାରେ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟଙ୍କୁ ସାକ୍ଷାତ କରି ଏହି ଚୁକ୍ତିଭିତ୍ତିକ ଯୋଜନାରେ ସଂଶୋଧନ ପାଇଁ ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ସେମାନଙ୍କ କଥା ଶୁଣିବା ସହ ଆଶ୍ବସନା ଦେଇଛନ୍ତି । ଅଗ୍ନିପଥ ଯୋଜନା ଭାରତର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ । ଉତ୍ତରାଖଣ୍ଡର ମାଟି, ପାଣି ସର୍ବଦା ଦେଶର କାମରେ ଆସିବ ବୋଲି ସେ କହିଛନ୍ତି । ଅପରପକ୍ଷେ ଡେରାଡୁନ ଏସଏସପି ମଧ୍ୟ ପରେଡ ଗ୍ରାଉଣ୍ଡରେ ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ପ୍ରସ୍ତୁତି ହେଉଥିବା ଛାତ୍ରଙ୍କ ସହ ଆଲୋଚନା କରିଛନ୍ତି ।