କୋଲକାତା: ଜଣେ ଯୁବକ ଅନେକ ବାନ୍ଧବୀଙ୍କ ସହିତ ସମ୍ପର୍କ ରଖିବା ଏବଂ ଉକ୍ତ ଯୁବକ ଜଣକ ସଭିଙ୍କୁ ଅଲଗା ଅଲଗା ସମୟ ଦେଇ ଖୁସିରେ ରଖୁଥିବା ଭଳି କିଛି ଖବର ସାମନାକୁ ଆସେ । କିନ୍ତୁ ଏଠାରେ ୪ ଜଣ ବାନ୍ଧବୀଙ୍କ ସହିତ ସମ୍ପର୍କରେ ରହି ଶେଷରେ ହଟାହଟା ହୋଇଛନ୍ତି ପଶ୍ଚିମବଙ୍ଗ କୁଚ ବିହାର ଜିଲ୍ଲା ଜୋରପାଟକି ଗ୍ରାମର ଯୁବକ ଶୁଭମୟ କର । ଏକା ସମୟରେ ୪ ଜଣ ବାନ୍ଧବୀ ଯୁବକଙ୍କ ଘର ପହଞ୍ଚିବା ପରେ ଭୟରେ ଯୁବକ ଜଣକ ବିଷ ପିଇଥିବା ଅଭାବନୀୟ ଘଟଣା ସାମନାକୁ ଆସିଛି ।
ମିଳିଥିବା ସୂଚନା ଅନୁସାରେ ଶୁଭମୟ ଏକ ଔଷଧ ଦୋକାନରେ କାମ କରନ୍ତି । ବୃତ୍ତି ସହିତ ସେ ୪ ଜଣ ବାନ୍ଧବୀଙ୍କ ସହିତ ସମ୍ପର୍କ ସଠିକ ଭାବେ ତୁଲାଉଥିଲେ । ତେବେ ଦୀପାବଳି ପରଦିନ ସେ ନିଜ ଦୋକାନକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ତାଙ୍କ ଘର ନିକଟରେ ଏକା ସମୟରେ ପହଞ୍ଚିଥିଲେ ୪ ଜଣ ବାନ୍ଧବୀ । ଏହାପରେ ଶୁଭମୟଙ୍କ ହୋସ୍ ଉଡ଼ିଯାଇଥିଲା । ସେ ପୂର୍ବରୁ ନିଜ ଘର ଠିକଣା କୌଣସି ବି ବାନ୍ଧବୀକୁ ଦେଇନଥିଲେ । ଏଣୁ ହଠାତ୍ ସେମାନଙ୍କୁ ଦେଖିବା ପରେ ତାଙ୍କ କଳା କାରନାମା ସମ୍ପର୍କରେ ୪ ବାନ୍ଧବୀ ଜାଣିସାରିଥିବା ସେ ହୃଦୟଙ୍ଗମ କରିଥିଲେ ।
ଏହାପରେ ସେ ତୁରନ୍ତ ନିଜ ଶୟନ କକ୍ଷକୁ ଯାଇ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସେପଟେ ଶୁଭମୟଙ୍କ ଘର ସମ୍ମୁଖରେ ୪ ଯୁବତୀଙ୍କ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ମଧ୍ୟ ଭିଡ଼ ଜମାଇଥିଲେ । ସେମାନଙ୍କ ଯୁକ୍ତିତର୍କ ଶୁଣି ଶୁଭମୟଙ୍କ ଏହି କାଣ୍ଡ ସମ୍ପର୍କରେ ସ୍ଥାନୀୟ ଲୋକେ ମଧ୍ୟ ଜାଣିପାରିଲେ । କିନ୍ତୁ ସେପଟେ ଶୁଭମୟ ବିଷ ପିଇଥିବା ଜାଣିବା ପରେ ତାଙ୍କୁ ପ୍ରଥମେ ମାଥାବାଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କୁଚ ବେହାର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ବର୍ତ୍ତମାନ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବକଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ ଭଲ ହେବା ପରେ ତାଙ୍କ ପ୍ରେମ କାହାଣୀ କେଉଁ ଦିଗକୁ ଯାଉଛି, ତାହାକୁ ରାଜ୍ୟବାସୀ ଉତ୍କଣ୍ଠାର ସହ ନଜର ରଖିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଶୁଭମୟଙ୍କ ବିରୁଦ୍ଧରେ ଯେପରି ୪ ବାନ୍ଧବୀ ପୋଲିସ ନିକଟରେ କୌଣସି ଅଭିଯୋଗ ନ କରନ୍ତୁ ଏହା ଉପରେ ପରିବାର ବର୍ଗ ଉଦ୍ୟମ କରୁଥିବା ଜଣାପଡ଼ିଛି ।