ନୂଆଦିଲ୍ଲୀ: Yahoo(ୟାହୁ) ୟୁଜର୍ସଙ୍କ ପାଇଁ ଖରାପ ଖବର । ଭାରତରେ ନିଜ ନ୍ୟୁଜ ୱେବସାଇଟ ସମେତ ଅନେକ ସୁବିଧା ବନ୍ଦ କରିଛି ୟାହୁ । ଭାରତରେ ଡିଜିଟାଲ ପରିଚାଳନା ଓ ପ୍ରକାଶନ କରୁଥିବା ମିଡିଆ କମ୍ପାନୀର ବିଦେଶି ମାଲିକାନା ସୀମିତ ହେବା କାରଣରୁ ତଥା ନୂଆ ବିଦେଶୀ ପୁଞ୍ଜିନିବେଶ((FDI) ନିୟମ ଯୋଗୁଁ ୟାହୁ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।
ୟାହୁର ଯେଉଁ ୱେବସାଇଟ ସେବା ଭାରତରେ ବନ୍ଦ ହୋଇଛି, ସେଗୁଡିକ ମଧ୍ୟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ, ୟାହୁ ଫାଇନାନ୍ସ, ମନୋରଞ୍ଜନ ଓ ମେକର୍ସ ଇଣ୍ଡିଆ ସାମିଲ ରହିଛି । ଅନ୍ୟପକ୍ଷେ ୟାହୁର ଭାରତୀୟ ୟୁଜର୍ସ ଏହାର ଇମେଲ ଓ ସର୍ଚ୍ଚ ଇଞ୍ଜିନର ପ୍ରୟୋଗ କରିପାରିବେ ।
ଏକ ବିଜ୍ଞପ୍ତିରେ ୟାହୁ ୱେବସାଇଟ କହିଛି ଯେ ୟାହୁ ଇଣ୍ଡିଆ 26 ଅଗଷ୍ଟରୁ ବିଷୟବସ୍ତୁ ପ୍ରକାଶ କରିବ ନାହିଁ । ୟାହୁରେ ତିଆରି ହୋଇଥିବା ଆକାଉଣ୍ଟ୍, ମେଲ୍ ଏବଂ ସର୍ଚ୍ଚ ଇଞ୍ଜିନ୍ ଏହି କାରଣରୁ କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ ଏବଂ ପୂର୍ବ ପରି କାର୍ଯ୍ୟ କରିବ | ସହଯୋଗ ଏବଂ ସମର୍ଥନ ପାଇଁ ୟୁଜର୍ସଙ୍କୁ ଧନ୍ୟବାଦ ଜଣାଇଛି ୟାହୁ | 2017ରେ ୟାହୁ ଉପରେ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ଭେରିଜନ ଅଧିଗ୍ରହଣ କରିଥିଲା ।
ଭାରତରେ ସେବା ବନ୍ଦ କରିବା ନିଷ୍ପତ୍ତି ଶୀଘ୍ର ନିଆଯାଇନଥିବା ୟାହୁ ପକ୍ଷରୁ ସ୍ପଷ୍ଟ କରାଯାଇଛି । କମ୍ପାନୀ 26 ଅଗଷ୍ଟରୁ ଭାରତରେ ବିଷୟବସ୍ତୁ ପ୍ରକାଶନ ବନ୍ଦ କରିଦେଇଛି । ନୋଟିସରେ ଏହା ୟାହୁ ପକ୍ଷରୁ କୁହାଯାଇଛି, ଆମେ ଶୀଘ୍ର ଏହି ନିଷ୍ପତ୍ତି ନେଇ ନାହୁଁ । ୟାହୁ ଇଣ୍ଡିଆ ଉପରେ ଭାରତର ନିୟାମକ ଆଇନର ପ୍ରଭାବ ପଡିଛି । ଦୀର୍ଘ ଦିନ ଧରି ଭାରତ ସହିତ ଜଡିତ ରହିଥିଲା ୟାହୁ । କମ୍ପାନୀର ଭାରତରେ ଲକ୍ଷ ଲକ୍ଷ ଉପଭୋକ୍ତା ଅଛନ୍ତି ।