ହାଇଦ୍ରାବାଦ: ବୁଦ୍ଧି, ବିଚାର, ବିବେକ ଦୃଷ୍ଟିରୁ ସର୍ବ ଶ୍ରେଷ୍ଠ ପ୍ରାଣୀର ଆଖ୍ୟା ମଣିଷକୁ ଦିଆଯାଇଛି । ସେଥି ମଧ୍ୟରୁ ପୁଣି ଯାହା ପାଖେ ମାନବିକତା ଥିବ ସେ ମହାନ୍ । ସେହି ମାନବତାବାଦୀଙ୍କର ଆଜି ଦିନଟିଏ । ସେମାନଙ୍କ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୯କୁ ବିଶ୍ବ ମାନବିକତା ଦିବସ ୱାର୍ଲଡ ହ୍ୟୁମାନିଟି ଡେ ଭାବେ ପାଳନ କରାଯାଉଛି ।
୨୦୦୩ ମସିହା ଆଜିର ଦିନରେ ବାଗଦାଦ ସ୍ଥିତ ଜାତିସଙ୍ଘ ମୁଖ୍ୟାଳୟରେ ବିସ୍ଫୋରଣ ଘଟି ୨୧ ଜଣ ସହାୟତା କର୍ମୀଙ୍କର ମୃତ୍ୟୁ ଘଟିଥିଲା । ଏହାର ୫ ବର୍ଷ ପରେ ଜାତିସଙ୍ଘର ସାଧାରଣ ସଭାରେ ଏହି ଦିନକୁ ବିଶ୍ବ ମାନବତା ଦିବସ ରୂପେ ପାଳନ କରିବା ପାଇଁ ସଂରଳ୍ପ ନିଆଯାଇଥିଲା । ପ୍ରତିବର୍ଷ ଏକ ବିଶେଷ ପ୍ରସଙ୍ଗକୁ ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ । ସେହିପରି ମାନବତାର କାର୍ଯ୍ୟକରି ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଦିନ ପାଳନ କରିବା ଏହି ଦିନସର ମୁଖ୍ୟ ଲକ୍ଷ୍ୟ ।
ଚଳିତ ବର୍ଷ ବିଶ୍ବ ମାନବିକତା ଦିବସ ପାଳନର ମୁଖ୍ୟ ପ୍ରସଙ୍ଗ 'ମଣିଷ ସଭ୍ୟତା ଉପରେ ଜଳବାୟୁ ସଙ୍କଟର ପ୍ରଭାବ' ରଖାଯାଇଛି । ଏଥିପାଇଁ ଅଗଷ୍ଟ ୧୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ୧୦୦ ମିନିଟର ଦୌଡ, ଚାଲି, ପହଁରା ବା ପସନ୍ଦର ଯେକୌଣସି କାର୍ଯ୍ୟକଳାପ କରି ଜଳବାୟୁ ସଙ୍କଟ ଯୋଗୁଁ ବିଶାଦଗ୍ରସ୍ତ ହୋଇପଡିଥିବା ଲୋକଙ୍କୁ ସହାନୁଭୂତି ପ୍ରଦର୍ଶନ କରିବା ଏବଂ ବିକାଶଶୀଳ ଦେଶଗୁଡିକରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ପାଇଁ ଉନ୍ନତ ଦେଶର ନେତାମାନଙ୍କୁ ବାର୍ଷିକ ୧୦୦ ମିଲିୟନ ଡଲାର୍ ପ୍ରଦାନ କରିବାକୁ ଜାତିସଙ୍ଘ ପକ୍ଷରୁ ଆହ୍ବାନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ