ଗୌହାଟୀ: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ମହାମାରୀ କୋରୋନା । ଏଥିରେ ଅନେକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅନେକଙ୍କ ଜୀବନ ମଧ୍ୟ ନେଲାଣି ଏହି ମହାମାରୀ । ତେବେ ଏହି ମହାମାରୀରେ ଯେଉଁ ଶିଶୁ ମାନେ ନିଜ ମା' କୁ ହରାଇଛନ୍ତି ବା ଯେଉଁ ମା' ମାନେ ଏବେ କୋରୋନାରେ ଚିକିତ୍ସିତ ହେଉଛନ୍ତି ତାଙ୍କର ଶିଶୁଙ୍କୁ ସ୍ତନ୍ୟପାନ କରାଇବେ ଦୁଇମାସର ଶିଶୁର ମା' ରୋନିଟା କୃଷ୍ଣ ଶର୍ମା ।
ଏବେ ସେ ଗୌହାଟୀରେ ରହୁଥିବା ବେଳେ ଯଦି କୌଣସି ନବଜାତ ସ୍ତନ୍ୟପାନ ଆବଶ୍ୟକ କରେ ସେ ସ୍ତନ୍ୟପାନ କରାଇ ସାହାଯ୍ୟ କରିବେ ବୋଲି ଜଣାଇଛନ୍ତି । ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଅନୁରୋଧ ଆସିନଥିବା କହିଛନ୍ତି ରୋନିଟା କୃଷ୍ଣ ଶର୍ମା । ତେବେ ଏଭଳି କାମ କରିବାକୁ ମଧ୍ୟ ସେ ଅନ୍ୟ ମା' ମାନଙ୍କୁ ଏଥିରେ ସାମିଲ ହେବାକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିକୌଣସି ନବଜାତ ଶିଶୁ ସ୍ତନ୍ୟପାନ ଆବଶ୍ୟକ କରେ ତେବେ ମୁଁ କେବଳ ଗୌହାଟୀରେ ସାହାଯ୍ୟ କରିପାରିବି ।
ମୁମ୍ବାଇରେ ରହୁଥିବା ରୋନିଟା ମାର୍ଚ୍ଚ 10 ରେ ପ୍ରସବ କରିବା ପରେ ଆସାମ ସ୍ଥିତ ନିଜ ଘରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ