ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ସହରରେ ଜଣେ ମହିଳାଙ୍କୁ ଉବେର ଡ୍ରାଇଭର ଆକ୍ରମଣ କରିଥିବାର ଖବର ମିଳିଛି । ମହିଳାଙ୍କ ଭୁଲ୍ ଏତିକି ଥିଲା ଯେ, ସେ ଭୁଲ୍ ଉବେର କ୍ୟାବରେ ବସିଥିଲେ । ଏହାକୁ କେନ୍ଦ୍ରକରି ଡ୍ରାଇଭର ତାଙ୍କୁ ମାରପିଟ୍ କରିଥିଲା । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଏହି ଖବର ପ୍ରଘଟ ହେବା ପରେ ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି ।
ଘଟଣାଟି ଘଟିଛି ବେଲ୍ଲାନ୍ଦୁର ଥାନା ଅନ୍ତର୍ଗତ ଭୋଗନାହାଲ୍ଲି ଅଞ୍ଚଳରେ । ଗତକାଲି(ବୁଧବାର) ସକାଳେ ଜଣେ ମହିଳା ପୁଅକୁ ହସ୍ପିଟାଲ ନେବା ପାଇଁ ନିଜ ଆପାର୍ଟମେଣ୍ଟରୁ ଉବେର ଆପ୍ରେ କ୍ୟାବ୍ ବୁକ୍ କରିଥିଲେ । ତଳକୁ ଆସିବା ପରେ ଆପାର୍ଟମେଣ୍ଟ ବାହାରେ ଏକ ଉବେର କ୍ୟାବ୍ ଛିଡା ହୋଇଥିବାର ଦେଖି ସେଥିରେ ବସି ଯାଇଥିଲେ । ହେଲେ ଉକ୍ତ କ୍ୟାବ୍ ସେ ବୁକ୍ କରିଥିବା କ୍ୟାବ୍ ନଥିଲା । ଭୁଲବଶତଃ ତରବରିଆ ଭାବେ ମହିଳା ସେଥିରେ ବସି ଯାଇଥିଲେ । କିଛି ସମୟ ପରେ ମହିଳା ଏ କଥା ଜାଣି ପାରିଥିଲେ ଏବଂ ଗାଡିରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଡ୍ରାଇଭର ତାଙ୍କୁ ବିରୋଧ କରିଥିଲା ।
ଏହାମଧ୍ୟ ପଢନ୍ତୁ: ବିହାର ହସ୍ପିଟାଲରେ ଚରମ ଅବହେଳା, ୟୁରିନ ବ୍ୟାଗ ବଦଳରେ ଲଗାଇଦେଲେ ପ୍ଲାଷ୍ଟିକ ବୋତଲ
ମହିଳା ଜଣକ ଗାଡି ଅଟକାଇବାରୁ ଉବେର ଡ୍ରାଇଭର ତାଙ୍କ ସହ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲା । ଆପାର୍ଟମେଣ୍ଟ ପରିସରରେ ହିଁ ସେ ମହିଳାଙ୍କୁ ମାରପିଟ୍ କରିବାକୁ ଲାଗିଥିଲା । ଏହାଦେଖି ମହିଳାଙ୍କ ପୁଅ ମାଆକୁ ବଞ୍ଚାଇବା ପାଇଁ ଧାଇଁ ଆସିଥିଲେ । ହେଲେ ଅଭିଯୁକ୍ତ ଡ୍ରାଇଭର ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । କିଛି ସମୟ ପରେ ଆପାର୍ଟମେଣ୍ଟର କିଛି ଲୋକ ସେଠାରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ ଏବଂ ଅଭିଯୁକ୍ତ ଡ୍ରାଇଭର ଫେରାର୍ ହୋଇଯାଇଥିଲା । ଏ ପୁରା ଘଟଣା ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହାକୁ ନେଇ ପୀଡିତାଙ୍କ ସ୍ବାମୀ ଅଜୟ ଅଗ୍ରୱାଲ ସୋସିଆଲ ମିଡିଆରେ ଆକ୍ରୋଶ ପ୍ରକାଶ କରିଛନ୍ତି ।
ଆପାର୍ଟମେଣ୍ଟ ବାସିନ୍ଦା ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି । ତେବେ ଏ ଯାଏଁ ଅଭିଯୁକ୍ତ ଡ୍ରାଇଭର ଧରାପଡି ନଥିବା ସୂଚନା ରହିଛି ।