ଭୋପାଳ: ମଧ୍ୟପ୍ରଦେଶ ଉଜୈନରେ ସନ୍ଥଙ୍କ (Saint) ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ସନ୍ଥ ଜଣଙ୍କ ଜଣେ ଯୁବତୀଙ୍କୁ ନିଶା ଔଷଧ ଦେବା ପରେ ଅନ୍ୟ ଜଣେ ସନ୍ଥ ସହିତ ଜୋରଜବରଦସ୍ତ ବିବାହ କରାଇଥିବା ଅଭିଯୋଗ ହୋଇଛି । ଫଟୋ ଓ ବିବାହର ପ୍ରମାଣ ପତ୍ର ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାପରେ ସନ୍ଥଙ୍କ ବିରୋଧରେ ନିର୍ଯାତନା ସହ ଏଭଳି ଅଭିଯୋଗ ଆଣିଛନ୍ତି ଯୁବତୀ । ପୋଲିସ ଏକ ମାମଲା ରୁଜୁ କରିବା ପରେ ଏ ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।
ଯୁବତୀ ଜଣକ ସନ୍ଥ ରାମେଶ୍ବର ଦାସଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବେଳେ ତାଙ୍କର ବିବାହ ଅନ୍ୟ ଜଣେ ସନ୍ଥ ଜ୍ଞାନଦାସ ମହାରାଜଙ୍କ ସହିତ ହୋଇଛି । ଯୁବତୀଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ବାମୀ ତଥା ସନ୍ଥ ଜ୍ଞାନଦାସଙ୍କ ବୟସ ୪୨ ବର୍ଷ। ଏମାନଙ୍କ ବିବାହ ଉଜୈନର ଚିନ୍ତାମନ ମନ୍ଦିରରେ ହୋଇଛି । ବିବାହର ପଞ୍ଜୀକରଣ ହୋଇଥିବାବେଳେ ଯୁବତୀ ଏହାକୁ ନକଲି ବୋଲି କହିଛନ୍ତି । ଯୁବତୀ ଜଣକ ଉତ୍ତରପ୍ରଦେଶର ବୃନ୍ଦାବନର ଅଧିବାସୀ ଅଟନ୍ତି । ସେ ଅଭିଯୁକ୍ତ ସନ୍ଥ ରାମେଶ୍ବରଙ୍କ ଶିଷ୍ୟା ରହିଥିଲେ ।
ଯୁବତୀଙ୍କ ଅଭିଯୋଗ ଅନୁସାରେ, ଗତ ୬ ମାସ ଧରି ସେ ଉଜୈନରେ ରହୁଛନ୍ତି । ସନ୍ଥ ରାମେଶ୍ବରଙ୍କଠାରୁ ଦିକ୍ଷା ଓ ଶିକ୍ଷା ନେବା ଲାଗି ସେ ଏଠାକୁ ଆସିଥିଲେ । ତନ୍ତ୍ର ବିଦ୍ୟା ଶିଖିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ପ୍ରଥମରୁ ସବୁ ସଠିକ ଭାବରେ ଚାଲିଥିଲା । କିନ୍ତୁ କିଛି ଦିନ ପରେ ସନ୍ଥ ରାମେଶ୍ବର ତାଙ୍କୁ ନିର୍ଯାତନା ଦେଇଥିଲେ । ସେ ଏହାକୁ ବିରୋଧ କରିବା ପରେ ତାଙ୍କୁ ସନ୍ଥ ଧମକ ଚମକ ଦେଇଥିଲେ । ସେପଟେ ଏ ନେଇ ସନ୍ଥ ଜଣଙ୍କ କହିଛନ୍ତି ଯେ, କୌଣସି ଏକ ଜମି ବିବାଦକୁ ନେଇ ଯୁବତୀ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ସେ ଯୁବତୀଙ୍କୁ ଝିଅ ମାନୁଥିବାବେଳେ ତାଙ୍କ ବିବାହ କରାଇଥିବା ସ୍ବୀକାର କରିଛନ୍ତି ।