ନାଗପୁର: ଆଗକୁ ସାଧାରଣ ନିର୍ବାଚନ ଆସୁଛି । ଭୋଟ ପାଇଁ ନେତା ସଦଭାବନାକୁ କ୍ଷତି ପହଞ୍ଚାଇ ପାରନ୍ତି । ଦେଶବାସୀ ଭୋଟ ଦେବା ପୂର୍ବରୁ ଶାନ୍ତି, ମୈତ୍ରୀ, ସଦଭାବନା, ଦେଶପ୍ରେମ ଅଖଣ୍ଡତା, ଶିକ୍ଷା, ବିକାଶକୁ ଧ୍ୟାନରେ ରଖନ୍ତୁ । ଆମକୁ ଧ୍ୟାନ ରଖିବାକୁ ହେବ ଏହି ରାଷ୍ଟ୍ର ଆମର । ଭାରତ ଆମ ମାତା । ମାତାର ସୁରକ୍ଷା, ସମ୍ମାନ ଅଖଣ୍ଡତାର ଦାୟିତ୍ବ ଭାରତବାସୀଙ୍କର । ନିର୍ବାଚନ ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିବେ । କିନ୍ତୁ ନାଗରିକ ମାନେ ସଚେତନ ରହିବା ଜରୁରୀ । ଆଜି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ର ବାର୍ଷିକ ପ୍ରତିଷ୍ଠା ଦିବସ ବିଜୟା ଦଶମୀ ଅବସରରେ ସଂଘର ମୁଖ୍ୟାଳୟ ନାଗପୁର ଠାରେ ଆୟୋଜିତ ଉତ୍ସବରେ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ ।
ଅଧିକ ପଢନ୍ତୁ- ମୁସଲିମ୍ ନିଜକୁ ଶ୍ରେଷ୍ଠ ଭାବିବା ଛାଡନ୍ତୁ: ମୋହନ ଭାଗବତ
ଆଜି ସଂଘର ପ୍ରତିଷ୍ଠା ଦିବସରେ ସମ୍ବୋଧିତ କରି ଆରଏସଏସ ମୁଖ୍ୟ କହିଛନ୍ତି, ‘‘ଆଗକୁ ସାଧାରଣ ନିର୍ବାଚନ ଆସୁଛି । ଭୋଟ ପାଇଁ ନେତା ସଦଭାବନାକୁ କ୍ଷତି ପହଞ୍ଚାଇ ପାରନ୍ତି । ଦେଶବାସୀ ଭୋଟ ଦେବା ପୂର୍ବରୁ ଶାନ୍ତି, ମୈତ୍ରୀ, ସଦଭାବନା, ଦେଶପ୍ରେମ ଅଖଣ୍ଡତା, ଶିକ୍ଷା, ବିକାଶକୁ ଧ୍ୟାନରେ ରଖନ୍ତୁ । ଆମକୁ ଧ୍ୟାନ ରଖିବାକୁ ହେବ ଏହି ରାଷ୍ଟ୍ର ଆମର । ଭାରତ ଆମ ମାତା । ମାତାର ସୁରକ୍ଷା, ସମ୍ମାନ ଅଖଣ୍ଡତାର ଦାୟିତ୍ବ ଭାରତବାସୀଙ୍କର । ନିର୍ବାଚନ ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିବେ । କିନ୍ତୁ ନାଗରିକ ମାନେ ସଚେତନ ରହିବା ଜରୁରୀ ।’’
ସେହିପରି ଆରଏସଏସ ମୁଖ୍ୟ କହିଛନ୍ତି ଭାରତରେ ଶାନ୍ତି ଭଙ୍ଗ ପାଇଁ ବହୁ ଲୋକ ଉଦ୍ୟମ କରୁଛନ୍ତି । କିନ୍ତୁ ଯେ ପର୍ଯ୍ୟନ୍ତ ଦେଶର ନାଗରିକ ସଚେତନ ରହିବେ ଦେଶଭକ୍ତି ନିଦର୍ଶନ ଦେଖାଇବେ କୌଣସି ଶକ୍ତି ଭାରତର ଶାନ୍ତି ଭଙ୍ଗ କରିପାରିବ ନାହିଁ । ଦେଶ ଭକ୍ତି ଆଗରେ ସବୁ କିଛି ତୁଚ୍ଛ । ମଣିପୁର ହିଂସା ପ୍ରସଙ୍ଗ ଉଠାଇ ସଂଘ ମୁଖ୍ୟ କହିଛନ୍ତି ମଣିପୁର ହିଂସା ପଛରେ କିଏ? ଘଟଣାରେ ସୀମା ପାର ଅଗ୍ରବାଦୀଙ୍କ ଷଡଯନ୍ତ୍ର ରହିଛି । ଯେଉଁଠି ଦଶନ୍ଧୀ ଦଶନ୍ଧୀ ଧରି ମୈତେଇ ଓ କୁକି ଏକାଠି ବସବାସ କରିଆସୁଛନ୍ତି ତାଙ୍କରି ମଧ୍ୟରେ ପାଚେରୀ ଛିଡା କରିବା ପଛରେ କିଏ? ଘଟଣା ପାଇଁ କାହାର ସ୍ବାର୍ଥ ହାସଲ ହେଲା । ମଣିପୁର ହେଉଛି ସୀମାବର୍ତ୍ତୀ ରାଜ୍ୟ । ଏଠି ଯାହା ହେଲା ଏହା ପଛରେ କିଏ? କୌଣସି ବାହ୍ୟ ଶକ୍ତିର ଷଡଯନ୍ତ୍ର ଅଛି କି? ମଣିପୁର ଘଟଣା ଭିତରେ ଗୃହମନ୍ତ୍ରୀ ଅମିତ ଶାହ 3 ଦିନ ସେଠି ରହି ସମୀକ୍ଷା କଲେ । ସ୍ଥିତିରେ ସୁଧାର ଆଣିବା ପାଇଁ ସବୁ ପଦକ୍ଷେପ ନେଲେ । ହେଲେ ହିଂସାକୁ କିଏ ପ୍ରୋତ୍ସାହିତ କରୁଥିଲା? ମଣିପୁରରେ ହିଂସା ହେଉନଥିଲା । ହିଂସା କରାଯାଉଥିଲା । ଏହାକୁ ଦେଶବାସୀ ବୁଝିବା ଦରକାର । ମଣିପୁରରେ କାର୍ଯ୍ୟ କରୁଥିବା ଆମର ସ୍ବଂୟ ସେବକଙ୍କୁ ନେଇ ଆମେ ଗର୍ବିତ । ସେମାନେ ସବୁ ଆହ୍ବାନକୁ ସ୍ବୀକାର କରି ମଣିପୁରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ କାମ କରୁଛନ୍ତି ।
ଅଧିକ ପଢନ୍ତୁ- ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ: ମୋହନ ଭାଗବତ
ମୋହନ ଭାଗବତ ଆହୁରି କହିଛନ୍ତି ଜୀବନରେ ସମସ୍ୟା ଆସିବ । କିନ୍ତୁ ସମସ୍ୟାକୁ ଆମେ କିଭଳି ସମାଧାନ କରୁଛୁ ତାହା ଆମ ଉପରେ ନିର୍ଭର କରୁଛି । ଆଜି ସାରା ଦୁନିଆରେ ସମସ୍ୟା ଲାଗି ରହିଛି । ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ସମସ୍ୟା ଭିତରେ ଦୁନିଆ ଆଜି ଭାରତକୁ ଦେଖୁଛି । ଭାରତ ଠାରୁ ସମାଧାନ ଆଶା କରୁଛି । ଆମର ନେତୃତ୍ବ ପାଇଁ ଆଜି ଭାରତ ପ୍ରତିଷ୍ଠା ବିଶ୍ବରେ ବଢିଛି । ଆମର କ୍ରୀଡାବିତ ମାନେ ଆଜି 100 ରୁ ଅଧିକ ପଦକ ଆଣିପାରୁଛନ୍ତି । ଆମର ଦେଶ ସବୁ କ୍ଷେତ୍ରରେ ଆଗକୁ ବଢୁଛି । ଡିଜିଟାଲର ଉପଯୋଗ ଆମେ ଗରିବ କଲ୍ୟାଣ ପାଇଁ କରୁଛନ୍ତି । ଷ୍ଟାର୍ଟଅପରେ ଆଜି କ୍ରାନ୍ତି ଆସିଛି । କୃଷି ଠାରୁ ମହାକାଶ ପର୍ଯ୍ୟନ୍ତ ଭାରତର ପ୍ରଗତି କରୁଛି । ଏହାକୁ ଦେଖି ଦେଶବାସୀ ଆନନ୍ଦିତ ହୁଅନ୍ତୁ । କଠୋର ପରିଶ୍ରମ କରନ୍ତୁ । ସଦଭାବନା ବଜାୟ ରଖନ୍ତୁ । ରାଷ୍ଟ୍ର ସର୍ବୋପରି ହେଉ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ