ଏଇ କିଛିବର୍ଷ ତଳେ, କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍.କେ.ସିଂହ କହିଥିଲେ ଯେ, ବିଦ୍ୟୁତ ଶକ୍ତି ଶ୍ବାସକ୍ରିୟା ସଦୃଶ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ବର୍ଷବର୍ଷ ଧରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ଆମ ନେତାମାନେ ପ୍ରତିଶ୍ରୁତି ଦେଇଆସୁଛନ୍ତି ସତ, ହେଲେ ଏହା ପୂରଣ ହୋଇପାରୁନାହିଁ ।
ବିଦ୍ୟୁତ ଶକ୍ତି ଗ୍ରାହକମାନଙ୍କ ଅଧିକାର ପ୍ରସଙ୍ଗରେ ଏକ ନୂତନ ଓ ସ୍ବାଗତଯୋଗ୍ୟ ଧାରା ପ୍ରଚଳନ କରାଇବାର ପ୍ରୟାସକ୍ରମେ, ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଣ ଦିଗରେ କେନ୍ଦ୍ର ସରକାର ନୂତନ ବିଦ୍ୟୁତ୍ଶକ୍ତି (ଉପଭୋକ୍ତାଙ୍କ ଅଧିକାର) ଆଇନ- 2020 ପ୍ରବର୍ତ୍ତନ କରିଛନ୍ତି ।
କେନ୍ଦ୍ର ଶକ୍ତିମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ ପରେ ପ୍ରଣିତ ଏହି ଆଇନକୁ ସମସ୍ତ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା (ଡିସ୍କମ୍) ଅପରିବର୍ତ୍ତନୀୟ ଭାବରେ ଅନୁସରଣ କରିବା ଉଚିତ । ତାଙ୍କ କହିବା ଅନୁସାରେ, ବିଦ୍ୟୁତ ସେବା ପ୍ରଦାନରେ ଅବହେଳା କ୍ଷେତ୍ରରେ ଲାଗୁ କରାଯିବାକୁ ଥିବା ଅର୍ଥଦଣ୍ଡ ସଂପର୍କରେ ସଂପୃକ୍ତ ବିଦ୍ୟୁତ୍ କମିଶନମାନେ ନିଷ୍ପତ୍ତି ନେବେ । ବିଦ୍ୟୁତ୍ ଯୋଗାଣରେ ବାରମ୍ବାର ବ୍ୟାଘାତ, ସାରା ଦେଶର ଲୋକଙ୍କ ପାଇଁ ସାଧାରଣ ଅନୁଭୂତିର କଥା । ସବ୍ଷ୍ଟେସନ ଏବଂ ବିଦ୍ୟୁତ୍ ଲାଇନ୍ର ରକ୍ଷଣାବେକ୍ଷଣରେ ଅବହେଳା, ଭୋଲଟେଜ୍ କମ୍ ବେଶୀ ହେବା ଯୋଗୁଁ ମୋଟର ଠିକ୍ରେ କାମ ନକରିବା, ବିଦ୍ୟୁତ୍ ସରବରାହ ବନ୍ଦ ହୋଇଗଲେ ପୁଣି ଚାଲୁ କରାଇବାରେ ବିଳମ୍ବ ଘଟିବା ଏବଂ ଏହାର ପରିଣତିରେ ସୃଷ୍ଟ ଅବ୍ୟବସ୍ଥା ପ୍ରଭୃତି ଲୋକଙ୍କ ନିତିଦିନିଆ ଜୀବନର ଅଂଶ ପାଲଟିଗଲାଣି ।
ନୂତନ ଆଇନ ଅନୁସାରେ, ବିଦ୍ୟୁତ୍ ଯୋଗାଣରେ କୌଣସି ପ୍ରକାର ବ୍ୟାଘାତ ଘଟିବା ସଂପର୍କରେ ଉପଭୋକ୍ତମାନଙ୍କୁ ଆଗୁଆ ସୂଚିତ କରାଇ ଦିଆଯିବ । କେଉଁ ଅଞ୍ଚଳରେ ବିଦ୍ୟୁତ ସେବା ଯୋଗାଣ ବ୍ୟାହତ ହେବ, ଏହି ବ୍ୟାଘାତର କାରଣ ଏବଂ କେଉଁ ସମୟ ସୁଦ୍ଧା ପୁଣି ବିଦ୍ୟୁତ୍ ସେବା ଯୋଗାଣ ସମ୍ଭବ ହେବ, ସେ ସଂପର୍କରେ ଏସଏମଏସ ଜରିଆରେ ଗ୍ରାହକମାନଙ୍କୁ ଜଣାଇ ଦିଆଯିବ ।
ଏହା ବ୍ୟତୀତ, ଠିକ୍ ସମୟରେ ନୂଆ ବିଦ୍ୟୁତ ସଂଯୋଗ ପ୍ରଦାନ ଏବଂ ଅକାମୀ ହୋଇଥିବା ମିଟରକୁ ତୁରନ୍ତ ବଦଳାଇ ନୂଆ ମିଟର ଲଗାଇବାକୁ ମଧ୍ୟ ଏହି ଆଇନରେ ବ୍ୟବସ୍ଥା ରହିଛି ।ବିଦ୍ୟୁତ ଗ୍ରାହକମାନଙ୍କ ପ୍ରିପେଡ ଓ ସ୍ମାର୍ଟ ମିଟର ଯୋଗାଇ ଦେବା ପାଇଁ 2019 ମସିହା ଜାନୁଆରୀରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ, ଏପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ମୁତାବକ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ପରି ମନେହୁଏ ।
ନୂତନ ଆଇନରେ ବିଦ୍ୟୁତ୍ ବିଲ୍ ପ୍ରସ୍ତୁତିରେ ସ୍ବଚ୍ଛତା, ପ୍ରିପେଡ୍ ମିଟର ବ୍ୟବସ୍ଥା ଏବଂ ବୟସ୍କ ଉପଭୋକ୍ତାମାନଙ୍କୁ ସେମାନଙ୍କ ଘରେ ସେବା ପ୍ରଦାନର ବ୍ୟବସ୍ଥା ରହିଛି । ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହେଲେ ଏହି ନୂତନ ଆଇନ ଗୁଡ଼ିକ ସ୍ବାଗତଯୋଗ୍ୟ । କୌଣସି ଦେଶରେ ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାର ହିଁ ଏହାର ବିକାଶର ମାପଦଣ୍ଡ ରୂପେ ପରିଗଣିତ ।
ଚୀନ୍ରେ ମୁଣ୍ଡପିଛା ବିଦ୍ୟୁତ୍ଶକ୍ତି ବ୍ୟବହାର 4 ହଜାର କିଲୋୱାଟ୍ ରହିଥିବା ବେଳେ ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ତାଇୱାନ ଏବଂ ଅନ୍ୟ କେତେକ ଦେଶରେ ଏହା 1ହଜାର କିଲୋୱାଟ୍ । ଏବର୍ଷ ପ୍ରାରମ୍ଭରେ ଭାରତରେ ମୁଣ୍ଡପିଛା ବିଦ୍ୟୁତ ଉପଯୋଗ 1ହଜାର କିଲୋୱାଟ୍ ରହିଥିଲା ।
ଆମ ଦେଶରେ ବିଦ୍ୟୁତ୍ ସରବରାହ ବ୍ୟାହତ ହେବା ଏତେ ସାଧାରଣ କଥା ଯେ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ରୂପେ ପରିଚିତ ଗୁଜରାଟ, ଆନ୍ଧ୍ର ପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ବି ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ କେବଳ ଅଧା ଦିନ ପାଇଁ ବିଦ୍ୟୁତ୍ ଯୋଗାଣ କରାଯାଇଥାଏ ।
ଦିଲ୍ଲୀର କେଜରିୱାଲ ସରକାରଙ୍କ ସମେତ ଅନେକ ରାଜ୍ୟ ସରକାର ବିଦ୍ୟୁତ୍ ବାବଦ ଦେୟରେ ରିହାତି ଦେବାର ପ୍ରତିଶ୍ରୁତି ଦେଇଥିବା କାରଣରୁ ବିଭିନ୍ନ ରାଜ୍ୟର ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ବା ‘ଡିସ୍କମ୍’ଗୁଡ଼ିକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କେବଳ ରାଜନୈତିକ ଲକ୍ଷ୍ୟ ହାସଲ ନିମନ୍ତେ ଏଭଲି ପ୍ରତିଶ୍ରୁତି ଦିଆଯାଇଥାଏ ।
2012-13 ମସିହାରେ ବିଭିନ୍ନ ଡିସ୍କମ୍ ଉପରେ ରହିଥିବା ବକେୟା ଅର୍ଥ ପରିମାଣ 3 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଛଅ ବର୍ଷ ଭିତରେ ଏହା 4 ଲକ୍ଷ 80 ହଜାର କୋଟି ଟଙ୍କାକୁ ଅତିକ୍ରମ କରିସାରିଲାଣି । ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିବା ନେତାମାନେ ସନ୍ନିହିତ ଆର୍ଥିକ ବୋଝର ଦାୟିତ୍ବ ନେବାକୁ ଅମଙ୍ଗ ହେଉଥିବା ଯୋଗୁଁ ଏହି ସ୍ଥିତି ଉପୁଜିଛି ।
ରାଜ୍ୟ ସରକାରମାନେ ଠିକ୍ ସମୟରେ ବକେୟା ପ୍ରାପ୍ୟ ପ୍ରଦାନ କରିଲେ ହିଁ ‘ଡିସ୍କମ୍’ଗୁଡ଼ିକର ପ୍ରଦର୍ଶନରେ ଉନ୍ନତି ହେବ । ବିଦ୍ୟୁତ୍ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଭାବେ 24 ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ଉପରେ କେନ୍ଦ୍ର ସରକାର ଜୋର ଦେଉଥିବା ବେଳେ କୃଷି କ୍ଷେତ୍ରକୁ ବିଦ୍ୟୁତ୍ ଯୋଗାଣ ସମ୍ପର୍କରେ ରାଜ୍ୟସ୍ତରୀୟ ନିୟାମକ ଆୟୋଗମାନେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ତେବେ ଶିଳ୍ପ କ୍ଷେତ୍ରକୁ ବିଦ୍ୟୁତ୍ ଯୋଗାଣ ପ୍ରସଙ୍ଗରେ କ’ଣ ହେବ ?
ଏଠାରେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି)ର ବକ୍ତବ୍ୟ ସ୍ମରଣୀୟ ମନେହୁଏ । ଏଥିରେ କୁହାଯାଇଛି ଯେ,ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ଅଭାବ ଯୋଗୁଁ ଉତ୍ପାଦନ ହ୍ରାସ ପାଉଛି ଏବଂ ନିଯୁକ୍ତି ସୁଯୋଗ ସଂଙ୍କୁଚିତ ହେବାରେ ଲାଗିଛି ଏବଂ ଏହାର ପରିଣାମରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସଂଙ୍କଟ ଉତ୍ପନ୍ନ ହେଉଛି ।
ନିଯୁକ୍ତି ସୁଯୋଗ ପ୍ରଦାନ କରୁଥିବା ସମସ୍ତ ସଂଙ୍ଗଠନ ଏବଂ ବ୍ୟବସ୍ଥାକୁ ଅବିରତ ବିଦ୍ୟୁତ ଯୋଗାଣ ଦିଗରେ ସଂସ୍କାରଧର୍ମୀ ପଦକ୍ଷେପ ନିଆଗଲେ ହିଁ ଦେଶରେ ଆଖିଦୃଶିଆ ପ୍ରଗତି ହାସଲ କରାଯାଇପାରିବ ।