ଚଣ୍ଡିଗଡ: ହିନ୍ଦୁସନ୍ଥ କାଳୀଚରଣ ମହାରାଜଙ୍କ ଗିରଫଦାରୀ ବିରୋଧରେ ହରିୟାଣା ଗୁରୁଗ୍ରାମ ଠାରେ ଗର୍ଜିଲା ଦକ୍ଷିଣପନ୍ଥୀ ସଙ୍ଗଠନ । କାଳୀଚରଣଙ୍କୁ ମୁକୁଳାଇବା ଦାବିରେ ସଙ୍ଗଠନର କିଛି ସଦସ୍ୟ ଶୁକ୍ରବାର ରାସ୍ତାକୁ ଓହ୍ଲାଇବାକୁ ପଛେଇ ନାହାନ୍ତି । ରାଜରାସ୍ତାରେ ଜୋରାଦର ଆନ୍ଦୋଳନ କରିବା ସହ ସଙ୍ଗଠନ ଅଲ ଇଣ୍ଡିଆ ମଜଲିସ-ଇ-ଇତହୁଲ୍ଲ ମୁସଲିମ (AIMIM)ର ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ଗିରଫ ପାଇଁ ମଧ୍ୟ ଦାବି କରିଛି । ଯେଉଁ ପୋଲିସ ଅଧିକାରୀ ଓୱେସିଙ୍କୁ ଗିରଫ କରିବେ ସେ ତାଙ୍କୁ ନଗଦ ୨୨ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣ କରିଛି ଦକ୍ଷିଣପନ୍ଥୀ ।
ଉଲ୍ଲେଖଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିବା ଅଭିଯୋଗରେ ସନ୍ଥ କାଳୀଚରଣଙ୍କୁ ଗୁରୁବାର ଛତିଶଗଡ ପୋଲିସ ଗିରଫ କରିଥିଲା । ରାୟପୁରରେ ଆୟୋଜିତ ଧର୍ମ ସଂସଦରେ କାଳୀଚରଣ ଏହି ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ ।
କାଳୀଚରଣଙ୍କ ଗିରଫକୁ ବିରୋଧ କରି ଶୁକ୍ରବାର ବହୁସଂଖ୍ୟକ ଦକ୍ଷିଣପନ୍ଥୀ କର୍ମକର୍ତ୍ତା ଡେପୁଟି କମିଶନରଙ୍କ ବାସଭବନ ସମ୍ମୁଖରେ ଥିବା ଟ୍ୟାଙ୍କ ପାର୍କ(Tank Park)ରେ ଏକତ୍ରିତ ହୋଇଥିଲେ । କାଳୀଚରଣଙ୍କୁ ଜେଲରୁ ବାହାର କରିବା ଏବଂ ଓୱେସିଙ୍କୁ ଗିରଫ ଦାବିରେ ନାରାବାଜି କରି ଲଘୁ ସଚିବାଳୟ (Mini Secretariat)ଯାଏଁ ଶୋଭାଯାତ୍ରାରେ ବାହାରିଥିଲେ । ସନ୍ଥ ଏବଂ ଅନ୍ୟାନ୍ୟ ଧର୍ମଗୁରୁଙ୍କ ଅପମାନ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲା ସଙ୍ଗଠନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ